ମୋରଡ଼ା,୧୭ା୯–ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍ଏଫ୍ସି କୋର୍ଟରେ ମଙ୍ଗଳବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଶ୍ରୁତି ପଟ୍ଟନାୟକ ଏହାର ବିଚାର କରି ଦୋଷୀ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ହଜାର ଟଙ୍କାର ଜରିମାନା ଓ ଅନାଦାୟେ ଅଧିକ ୪ମାସ ଜେଲଦଣ୍ଡ ଏବଂ ପୀଡ଼ିତାଙ୍କୁ ୪୦ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ମୋରଡ଼ା ଥାନା ଅଧୀନ ଝିଙ୍କିରିଆ ଗ୍ରାମର ଦୀପକ କୁମାର ବେହେରା ୧୯୯୮ରେ ଶକୁନ୍ତଳା ବେହେରାଙ୍କୁ ବିବାହ କରିଥିଲେ। ବାହାଘର ସମୟରେ କନ୍ୟା ଘର ପକ୍ଷରୁ ନଗଦ ୧୦ହଜାର ଟଙ୍କା,ସୁନା, ରୁପା ଗହଣା ଏବଂ ଅନ୍ୟ ଘରକରଣା ସାମଗ୍ରୀ ଯୌତୁକ ଆକାରରେ ଦିଆଯାଇଥିଲା। ତେବେ ବାହାଘରର କିଛି ଦିନ ପରେ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ଦୀପକ ଶକୁନ୍ତଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଅନେକ ଥର ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଦୀପକ ଶକୁନ୍ତଳାଙ୍କୁ ତାଙ୍କ ବାପ ଘରେ ଛାଡ଼ିବା ସହିତ ଟଙ୍କା ମାଗୁଥିଲେ। ଶକୁନ୍ତଳାଙ୍କ ବାପା ମଧ୍ୟ ଅନେକ ଥର ଦୀପକଙ୍କୁ ଟଙ୍କା ଦେଇଛନ୍ତି। ତେବେ ୨୦୦୫ ଅଗଷ୍ଟ ୧୦ରେ ବାପା, ଭାଇ ଆସି ଶକୁନ୍ତଳାଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ। ଏହାର ୨୦ ଦିନ ପରେ ସ୍ଥାନୀୟ ସରପଞ୍ଚ, ବରିଷ୍ଠ ଲୋକଙ୍କ ଉପସ୍ଥିତିରେ ଉକ୍ତ ଘଟଣାର ସ୍ଥାୟୀ ସମାଧାନ ନିମନ୍ତେ ବୁଝାମଣା ହୋଇଥିଲା l ତେବେ ଏହାର କିଛି ଦିନ ପରେ ଦୀପକ ପୁଣି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଶକୁନ୍ତଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପିପି ସମ୍ବିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |