ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ବଡ଼ ସଫଳତା ହାସଲ କରିଛି। ପୂର୍ବଘାଟ ପର୍ବତମାଳାର ଜଟିଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ଟି ଟନେଲର ଖନନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି, ଯାହା ଟନେଲ୍ ନିର୍ମାଣ ଇତିହାସରେ ଏହାକୁ ଏକ ଅତ୍ୟନ୍ତ ସଫଳ ବର୍ଷ ଭାବେ ପ୍ରତିପାଦିତ କରିଛି।
ଏହି କ୍ରମରେ ଶେଷ ସଫଳତା ଭାବେ ଏପ୍ରିଲ ୧୪, ୨୦୨୬ରେ କୋରାପୁଟ-ସିଙ୍ଗାପୁର ରୋଡ ଦୋହରୀକରଣ ପ୍ରକଳ୍ପର ସିକରପାଇ-କେଉଟଗୁଡ଼ା ସେକ୍ସନରେ ଥିବା ୧,୦୪୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ ନମ୍ବର-୩୦ର ବ୍ରେକ୍ଥ୍ରୁ (Breakthrough) ହୋଇଛି।
ଏକ ଚ୍ୟାଲେଞ୍ଜପୂର୍ଣ୍ଣ ୫ ଡିଗ୍ରୀ ବକ୍ରପଥ (Curve) ଉପରେ ଏହି ଟନେଲ୍ ନିର୍ମାଣ କରାଯାଇଛି। ଉଭୟ ପାର୍ଶ୍ୱରୁ ଏକକାଳୀନ ଖନନ କରାଯାଇ ଶତପ୍ରତିଶତ ସଠିକତା ସହ ଏହାର ସଂଯୋଗ କରାଯାଇଛି, ଯାହାକି ଉନ୍ନତ ଇଞ୍ଜିନିୟରିଂ କୌଶଳ ଓ ସଠିକ ସର୍ବେକ୍ଷଣର ପ୍ରମାଣ ଦେଉଛି ।
ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ରୁଟ୍ର ସବୁଠାରୁ ଲମ୍ବା ଟନେଲ୍ T-4 (୪,୧୮୫ ମିଟର) ଏବଂ ଟନେଲ୍ T-2 (୧,୭୭୫ ମିଟର) ର ଖନନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏହା ବ୍ୟତୀତ ଜୁଲାଇ ୨୦୨୫ରେ T-5 ଓ T-6 (ପ୍ରତ୍ୟେକ ୨୫୦ ମିଟର) ଏବଂ ନଭେମ୍ବର ୨୦୨୫ରେ T-7 (୧,୯୭୫ ମିଟର) ଟନେଲର ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ବର୍ଷକ ମଧ୍ୟରେ ମୋଟ ୭,୦୫୧ ମିଟର ଟନେଲ୍ ଖନନ କରାଯାଇଛି ଏବଂ ୨,୪୭୫ ମିଟର ଲାଇନିଂ କାର୍ଯ୍ୟ ସହ ଅନ୍ୟାନ ସଲଗ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହା ସହିତ କୋରାପୁଟ-ରାୟଗଡା ଏବଂ କୋରାପୁଟ-ସିଙ୍ଗାପୁର ରୋଡ କରିଡର ସମେତ ପ୍ରମୁଖ ଦୋହରୀକରଣ ସେକ୍ସନରେ ଅତିରିକ୍ତ ସଫଳତା ମିଳିଛି।।
ଏହି ସଫଳତା ଦ୍ୱାରା ଉପକୂଳ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବା ସହ ଦୁର୍ଗମ ତଥା ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକ ଅର୍ଥନୀତିର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ପ୍ରାକୃତିକ ବାଧାବିଘ୍ନ ସତ୍ତ୍ୱେ ପୂର୍ବତଟ ରେଳପଥର ଏହି ନିରନ୍ତର ପ୍ରୟାସ ଆଧୁନିକ ରେଳ ସେବାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି।

More Stories
ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ |
୫୦ ଦିନ ପରେ ଖୋଲିଲା ଇରାନ ଏୟାରସ୍ପେସ୍, ହେଲେ ଏବେବି ସଂପୂର୍ଣ୍ଣ ଖୋଲିନାହିଁ ହର୍ମୁଜ୍
ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ |