ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ରବିବାର ଅଗ୍ନିଶମ ବାହିନୀ ଦୀର୍ଘ ସମୟ ପରିଶ୍ରମ ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଖଲିଗଡର ସାଧୁରାମ ବାଗ(୪୫)।
ମିଳିଥିବା ସୂଚନା ମୁତାବକ, ଶନିବାର ଅପରାହ୍ନରେ ସାଧୁରାମ ଗାଁ ନିକଟସ୍ଥ ବେହେରା ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଡ୍ୟାମରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ସାଧୁରାମଙ୍କ ସ୍ତ୍ରୀ ଆମପାଣି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ରବିବାର ଆମପାଣି ଥାନା ପୋଲିସ ଏବଂ କୋକସରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ହାବିଲଦାର ସୁନୀଳ ରଞ୍ଜନ ବାରଳା, କର୍ମଚାରୀ ସ୍ମୃତି ରଞ୍ଜନ ବିଶାଳ, ଉମାଶଙ୍କର ନାଏକ, ରାଧେଶ୍ୟମ ପ୍ରଧାନୀ, ବିଶ୍ୱଜିତ ଜେନା ପ୍ରମୁଖ ୩ ଘଣ୍ଟା ଧରି ପରିଶ୍ରମ ପରେ ପ୍ରାୟ ୨୫ ଫୁଟ ପାଣିରୁ ସାଧୁରାମଙ୍କ ମୃତଦେହ ଉଦ୍ଧାର କରିଥିଲେ।
ପରେ ଅଗ୍ନିଶମ ବାହିନୀ ମୃତଦେହ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ ପଠାଇଛି। ଏନେଇ କୋକସରା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍