January 25, 2026

Now Odisha

Now Odisha

ଆସନ୍ତା ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ

Spread the love

ଆସନ୍ତା ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ଯଦି ୨୩ରେ ଏହି କାର୍ଯ୍ୟ ନସରିବ, ତା’ହେଲେ ୨୪ ତାରିଖରେ ଏହାକୁ ସଂପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର ସବ୍‌କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘରେ,ବାହାର ରତ୍ନଭଣ୍ଡାରର ଅଳଙ୍କାର ଫୁଲ ଘରେ ଓ ଚାଙ୍ଗଡ଼ା ଘରେ ଅଛି। ସେପ୍ଟେମ୍ବର ୨୩ ତାରିଖ (ମଙ୍ଗଳବାର) ଅମୃତ ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ଭୋର ୪ଟାରୁ ଦ୍ୱାରଫିଟା ହେବ। ତା’ପରେ ଅମୃତ ବେଳା ସମୟ ଅନୁସାରେ ସ୍ଥାନାନ୍ତର ଆରମ୍ଭ ହେବ। ସେପ୍ଟେମ୍ବର 23 ସକାଳ ୭ଟା ୧୭ରୁ ଦିନ ୧୧ଟା ୧୭ ମଧ୍ୟରେ ଅମୃତବେଳା ରହିଛି। କେବଳ ପାଳିଆ ସେବକ ସ୍ଥାନାନ୍ତର ସମୟରେ ରହିବେ। ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିର ସୋଧ ହେବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେପ୍ଟେମ୍ବର ୨୩ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ନାଟମଣ୍ଡପ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ସେହିଦିନ ଉଭୟ ଭିତର ଓ ବାହାର ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହେବ। ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ତାଲା ପଡ଼ିବ ଓ ଚାବି ଟ୍ରେଜେରୀରେ ରହିବ। ଯଦି ୨୩ ତାରିଖରେ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ଶେଷ ନହେବ, ତା’ହେଲେ ୨୪ ତାରିଖରେ ପୁର୍ନବାର ସ୍ଥାନାନ୍ତର କାର୍ଯ୍ୟ କରାଯିବ।
ରତ୍ନ ଅଳଙ୍କାର ଗଣତିମଣତି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିଚାଳନା କମିଟି ଗଣତିମଣତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ।

error: Content is protected !!