କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ପୁଲିସର ବର୍ବରତା ସୀମା ଟପିଛି। ଥାନାକୁ ଯାଇଥିବା ମା’ପୁଅଙ୍କଠାରୁ ଅଭିଯୋଗ ନ ରଖି ନିସ୍ତୁକ ମାଡ଼ ମାରିଛି ପୁଲିସ। ୬ ଘଣ୍ଟା କାଳ ଥାନାରେ ଥାର୍ଡଡିଗ୍ରି ପ୍ରୟୋଗ ପରେ ଛଡ଼ାଯାଇଛି। ସେମାନଙ୍କ ଦେହସାରା ମାଡ଼ ଚିହ୍ନ ରହିଛି। ପଟ୍ଟାମୁଣ୍ଡାଇ ଏସ୍ଡିପିଓଙ୍କ ନିକଟରେ ବାଘମାରି ପଞ୍ଚାୟତ ଗିରିଆପାହି ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) କରିଥିବା ଅଭିଯୋଗ ମୁତାବକ, ଗତକାଲି ଅର୍ଥାତ୍ ୨୫ ତାରିଖ ସନ୍ଧ୍ୟା ୬ଟାରେ ପାରିବାରିକ କଳହକୁ ନେଇ ସେ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ।
ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଏତଲା ନ ରଖି ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାରି ଅର୍ଦ୍ଧଉଲଗ୍ନ କରି ଚାପୁଡ଼ା ମାରିବା ସହିତ ତାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ଏହାପରେ ମା’ ସାମନାରେ ପୁଅ ଅନନ୍ତଙ୍କୁ ପାଇଖାନା ଭିତରେ ପୂରାଇ ଆଇଆଇସି ଓ ଜଣେ କନେଷ୍ଟବଳ ନିର୍ମମ ଭାବେ ପିଟିଥିଲେ। ଅନନ୍ତଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ।ମାଡ଼ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଏବଂ ମିଛ ମାମଲାରେ ଫସାଇ ଜେଲ୍ ପଠାଇଦେବାକୁ ଆଇଆଇସି ଧମକ ଦେଇଥିଲେ ବୋଲି ଅନ୍ନପୂର୍ଣ୍ଣା ଅଭିଯୋଗ କରିଛନ୍ତି। ଏଥିସହ ଅନନ୍ତଙ୍କ ମୋବାଇଲ୍ ପୁଲିସ ଛଡ଼ାଇ ରଖିଥିଲା ବେଳେ ସାଦା କାଗଜରେ ଦୁଇଜଣଙ୍କ ଦସ୍ତଖତ କରାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ମା’ପୁଅଙ୍କୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ୪୦ ଯାଏଁ ଥାନାରେ ନିର୍ଯାତନା ଦେବା ପରେ ଛଡ଼ା ଯାଇଥିଲା। ପୁଲିସ ମାଡ଼ରେ ମା’ ଓ ପୁଅ ଚାଲିପାରୁ ନ ଥିବାରୁ ପରିବାର ଲୋକ ଅଟୋରେ ସେମାନଙ୍କୁ ଘରକୁ ଆଣିଥିଲେ। ଆଜି ସକାଳେ ଉଭୟଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନ୍ନପୂର୍ଣ୍ଣାଙ୍କ ହାତ ଏବଂ ଅନନ୍ତଙ୍କ ବେକ, ହାତ, ଗୋଡ଼, ପିଠିରେ ମାଡ଼ଚିହ୍ନ ରହିଛି। ପୁଲିସର ଥାର୍ଡଡିଗ୍ରି ଭିଡିଓ ଥାନା ସିସିଟିଭିରେ ରହିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଏସ୍ଡିପିଓ ସୁକାନ୍ତ କୁମାର ପାତ୍ର କହିଛନ୍ତି ଯେ ଅଭିଯୋଗ ମିଳିଛି। ଏ ନେଇ ଏସ୍ପିଙ୍କୁ ଅବଗତ କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

More Stories
ଭୁବନ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର |
ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭାଯାନ ବିକ୍ଷୋଭ ସମାବେଶ |
ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ