May 28, 2026

Now Odisha

Now Odisha

 ମୌସୁମୀ ସକ୍ରିୟ ହେବାକୁ ସୁହାଉନି ପାଗ: କେରଳରେ ମୌସୁମୀ ଛୁଇଁବାକୁ ଆହୁରି ୩ ଦିନ ଅପେକ୍ଷା

Spread the love

ଭୁବନେଶ୍ବର: ସାରା ଦେଶରେ ତାତି ତାଉ ଦେଖାଉଥିବା ବେଳେ ମୌସୁମୀକୁ ଖୋଜାପଡ଼ିଛି। ଆରବ ସାଗର, ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇସାରିଲାଣି। କେରଳରେ ବର୍ଷା ହେଉଥିଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପଶିବା ପାଇଁ ଯେଉଁ ପାଣିପାଗ ନିୟାମକର ଆବଶ୍ୟକତା ରହୁଛି ତାହା ସକ୍ରିୟ ହେଉନଥିବାରୁ ମୌସୁମୀ ବର୍ତ୍ତମାନ ସୁଦ୍ଧା କେରଳ ଛୁଇଁନାହିଁ।

ସୂର୍ଯ୍ୟକିରଣରୁ ପୃଥିବୀ ଗ୍ରହଣ କରୁଥିବା ଉତ୍ତାପ ବିକିରଣର ପରିଣାମ ବର୍ଗମିଟର ପିଛା ୨୦୦ ୱାଟ୍ରୁ କମ୍ ହେବା ଆବଶ୍ୟକ। କିନ୍ତୁ କେରଳରେ ଏହାର ପରିମାଣ ଅଧିକ ରହୁଛି। ଏଥିସହ ଭୂପୃଷ୍ଠରୁ ୪.୫ କିମି ଉଚ୍ଚତା ପର୍ଯ୍ୟନ୍ତ ପଶ୍ଚିମା ବାୟୁର ପ୍ରଭାବ ରହିବା ଆବଶ୍ୟକ। ନିମ୍ନସ୍ତରରେ ପବନର ବେଗ ଠିକ୍ ରହୁଥିବା ବେଳେ ଉପରସ୍ତରରେ ଏହି ବେଗ ରହୁନାହିଁ। ଏହି ଦୁଇ ପାଣିପାଗ ନିୟାମକର ଆବଶ୍ୟକତା ପୂର୍ଣ୍ଣ ହେଉନଥିବାରୁ ଏଯାଏଁ ମୌସୁମୀ କେରଳ ଛୁଇଁନାହିଁ। ତେବେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତି ଅନୁକୂଳ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।ଆଇଏମ୍ଡିର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ, ଦକ୍ଷିଣପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ
ସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ଆଜି ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆସନ୍ତା ୨ରୁ ୩ ଦିନରେ ଏହି ସବୁ ଅଞ୍ଚଳର ଆଉ କିଛି ଅଂଶରେ ମୌସୁମୀ ସକ୍ରିୟ ହୋଇଯିବ।
ଅନ୍ୟପଟେ ଉତ୍ତର-ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଏକ ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳୁଛି। ଆଜି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି। ସେପଟେ ରାଜ୍ୟରେ ତାତି ଜାରି ରହିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବାବେଳେ ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରରେ ୪୪.୨ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଟିଟିଲାଗଡ଼ରେ ୪୩.୫, ସୁବର୍ଣ୍ଣପୁରରେ ୪୩.୧ ଓ ବଲାଙ୍ଗୀରରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତାକାଲି ସମ୍ବଲପୁର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀରରେ ଗ୍ରୀଷ୍ମ ଲହରିଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ସମ୍ବଲପୁର ଓ ବଲାଙ୍ଗୀରରେ ଉତ୍ତପ୍ତ ରାତି ନେଇ ଚେତାବନୀ ଜାରି ହୋଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ପବନର ବେଗ ୫୦ରୁ ୬୦ କିମି ପର୍ଯ୍ୟନ୍ତ ରହିବ ଓ କାଳବୈଶାଖୀ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

error: Content is protected !!