ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସୁଜାତାଙ୍କ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଏହା “ଶତ ପ୍ରତିଶତ” ହେବ।
ମନ୍ମଥ ରାଉତରାୟଙ୍କ କହିବା ଅନୁସାରେ, ଦଳର ସମସ୍ତ କର୍ମୀ ଓ ନେତାମାନେ ସୁଜାତାଙ୍କ ଆଗମନକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ସେ ଯେତେ ଶୀଘ୍ର ବିଜେଡିରେ ଯୋଗଦେବେ, ଦଳ ସେତେ ଅଧିକ ଖୁସି ହେବୁ। ତାଙ୍କୁ “ରେଡ୍ କାର୍ପେଟ୍” ବିଛାଇ ସ୍ୱାଗତ କରାଯିବ ବୋଲି ମନ୍ମଥ କହିଛନ୍ତି।
ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ସୁଜାତା ବିଜେଡିକୁ ଆସିଲେ କୌଣସି ପଦବୀ ଗ୍ରହଣ କରିବେ ନାହିଁ କିମ୍ବା ଦଳର ଉତ୍ତରାଧିକାରୀ ଭାବେ ଆଗକୁ ଆସିବେ ନାହିଁ। ବରଂ ଜଣେ ସାଧାରଣ କର୍ମୀ ଭାବେ ଓଡ଼ିଶାର ବିକାଶ ଏବଂ ଜନସେବା ପାଇଁ କାମ କରିବେ। ସେ ସରକାରକୁ ଦୋହଲାଇ ଦେବେ।
ମନ୍ମଥଙ୍କ ମତରେ, ସୁଜାତାଙ୍କ ଯୋଗଦାନ ଦଳକୁ ନୂଆ ଶକ୍ତି ଦେବ। ତାଙ୍କ ଆଗମନରେ କିଛି ଲୋକ ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକଙ୍କ ମନୋବଳ ବୃଦ୍ଧି ପାଇବ। ଏପରିକି ତାଙ୍କର ସକ୍ରିୟ ରାଜନୈତିକ ଭୂମିକା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଛନ୍ତି।
ସେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ସୁଜାତାଙ୍କ ଦଳୀୟ ଯୋଗଦାନ ପ୍ରସ୍ତାବକୁ ସମର୍ଥନ କରିଥିଲେ। ମାତ୍ର ସେତେବେଳେ ସୁଜାତା ନିଜେ ରାଜନୀତିକୁ ଆସିବାକୁ ଆଗ୍ରହୀ ନଥିଲେ। ନକାରାତ୍ମକ ପ୍ରଚାର ଏବଂ ବିଭିନ୍ନ ଚର୍ଚ୍ଚା ଯୋଗୁ ତାଙ୍କ ମନୋବଳ କିଛିଟା ପ୍ରଭାବିତ ହୋଇଥିଲା, ଯାହାଫଳରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିଲା। ତେବେ ବର୍ତ୍ତମାନ ସେ ଦଳରେ ଯୋଗଦେବାକୁ ରାଜି ହୋଇଥିବା ମନ୍ମଥ କହିଛନ୍ତି।
ତେବେ ସୁଜାତା ଆର୍. ପାଣ୍ଡିଆନଙ୍କ ପକ୍ଷରୁ ଏହି ନେଇ କୌଣସି ଔପଚାରିକ ଘୋଷଣା କିମ୍ବା ପ୍ରତିକ୍ରିୟା ମିଳିନାହିଁ। ତାଙ୍କର ବିଜେଡିରେ ଯୋଗଦାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା