ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ ପୁରୁଷବନ୍ଧୁ ଭୀମସେନ ପ୍ରସାଦ ଟୁଡୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୮ ତାରିଖରେ ସେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।
ସୂଚନାନୁସାରେ, ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ଜବତ ଘଟଣାରେ ପୋଲିସ ସନ୍ଦେହରେ ତାଙ୍କ ଓଏଏସ୍ ପୁରୁଷବନ୍ଧୁ ଆସିଛନ୍ତି।
ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଛି। ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ବିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ। ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ। ଗୋରା ହେବାକୁ କସ୍ମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକ୍ଶନ ନେଉଥିଲେ। ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ।
ପୋଲିସ ଚନ୍ଦ୍ରିକା ବ୍ୟବହାର କରୁଥିବା ମୋବାଇଲର କଲ୍ହିଷ୍ଟ୍ରି ଯାଞ୍ଚ କରିବା ସହ ଲେଖିଥିବା ଡାଏରୀ ଜବତ କରିଛି। ପୋଲିସ ଟିମ୍ ପୁରୁଷ ବନ୍ଧୁଙ୍କୁ ଧରିବାକୁ ଯାଇଥିବା ବେଳେ ସେ ଫେରାର ହୋଇଯାଇଥିଲେ। ଫଳରେ ପୋଲିସ ଖାଲିହାତରେ ଫେରିବାକୁ ପଡ଼ିଛି। ଅନ୍ୟପକ୍ଷରେ ବାରଙ୍ଗ ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକ କହିଛନ୍ତି, ପୁରୁଷ ବନ୍ଧୁ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡ଼ିବା ପରେ ପୋଲିସ ଚୁପ୍ ବସିନି। ପୁରୁଷବନ୍ଧୁଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଛି। ଜାମିନ ଆବେଦନ ଖାରଜ ପାଇଁ ପୋଲିସ ହାଇକୋର୍ଟରେ ଆବେଦନ କରିବ ବୋଲି ସେ କହିଛନ୍ତି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!