June 11, 2026

Now Odisha

Now Odisha

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

Spread the love

ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ଜଣକ ଅନୁଗୁଳ ଜିଲା ଅନ୍ତୁଳିଆ ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ସୁଶାନ୍ତ ନାୟକ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ କୌଣସି ଏକ କାମରେ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହିତ ସଂଘାପଶି ଗ୍ରାମର ପୌଲସ୍ତି ମାଝୀଙ୍କ ଘରକୁ ଆସିଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କାମ ସାରି ସେମାନେ ଘରକୁ ଫେରିବା ପାଇଁ ନିଜ କାର୍‌ଟିକୁ ବୁଲାଉଥିଲେ। ଏହି ସମୟରେ ହଠାତ୍ ଏକ ହାତୀ ସେମାନଙ୍କ ସାମ୍ନାକୁ ଆସି ଆକ୍ରମଣ କରିଥିଲା। ହାତୀକୁ ଦେଖି ସୁଶାନ୍ତ ଭୟରେ କାର୍ ଭିତରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ମାରିଦେଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ବର୍ତ୍ତମାନ ସୁଦ୍ଧା ମୃତ ସୁଶାନ୍ତଙ୍କ ମୃତଦେହକୁ ପ୍ରାୟ ୧୮ଟି ହାତୀ ଘେରି ରହିଛନ୍ତି। ଏଥିଯୋଗୁ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି।

error: Content is protected !!