ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଅର୍ଡର ବାହାର କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗୋଜାବନ୍ଧ ଗାଁର ପିତାମ୍ବର ସ୍ୱାଇଁଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ସେହି ଜବରଦଖଲ ଉଚ୍ଛେଦ କରିବା ପାଇଁ ପିତାମ୍ବରଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ୱାଇଁ ତହସିଲଦାର ଶ୍ରୀ ମଲ୍ଲିକଙ୍କୁ କହିଥିଲେ। ହେଲେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ବାହାର କରିବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ତହସିଲଦାର ଶ୍ରୀ ମଲ୍ଲିକ ଆଜି ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ସରକାରୀ ଘରେ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ବେଳେ ତାଙ୍କ ଅଫିସ୍ ଓ ତାଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଅନ୍ୟପକ୍ଷରେ ସରକାରୀ ଅର୍ଥ ହେରାଫେରି ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ଥିବା ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନସ୍ଥ ବାମନବିନ୍ଧା ସର୍ଭିସ କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଂପାଦକ ସୁଦର୍ଶନ ଖଟୁଆଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ସେ ସରକାରୀ ରେକର୍ଡଗୁଡ଼ିକରେ କାରସାଦି କରି ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି। ଏନେଇ ତାଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |