July 20, 2026

Now Odisha

Now Odisha

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ |

Spread the love

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା।  ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି।

ସ୍କନ୍ଦ ପୁରାଣ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଭଉଣୀଭାଇଙ୍କୁ ସାଥିରେ ଧରି ଘୋଷଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ରଥାରୂଢ଼ ଶ୍ରୀବିଗ୍ରହମାନେ ଶରଧାବାଲିଠାରେ ଶୁକ୍ରବାର ଏବଂ ଶନିବାର ଦିନତମାମ ଭକ୍ତଙ୍କୁ ଦର୍ଶନ ଦେବା ପରେ ଅପରାହ୍ନରେ  ଜନ୍ମବେଦୀକୁ ବାହାରିଥିଲେ। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପ ପହଣ୍ଡି ନିମନ୍ତେ ଶନିବାର ରଥ ଉପରେ ଶ୍ରୀବିଗ୍ରହଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।
ଶନିବାର ସକାଳ ୭ଟା ୩୦ରୁ ୭ଟା ୪୦ ମଙ୍ଗଳ ଆଳତି, ମଇଲମ ୭ଟା ୩୫ରୁ ୭ଟା ୫୦ ମଧ୍ୟରେ ସମ୍ପନ୍ନ ହୋଇଥିଲା। ତିନିରଥରେ ଅବକାଶ ନୀତି ୮ଟାରୁ ୯ଟା ୧୦, ବେଶ ଶେଷ ୮ଟା ୧୫ରୁ ୯ଟା ୨୦, ସକାଳଧୂପ ଶେଷ ୧୦ଟାରୁ ୧୧ଟା ୦୫, ମଇଲମ ୧୧ଟା ୨୦ରୁ ୧୧ଟା ୪୦, ମହାସ୍ନାନ ଶେଷ ମଧ୍ୟାହ୍ନ ୧୨ଟା, ସର୍ବାଙ୍ଗ ୧୧ଟା ୫୫ରୁ ୧୨ଟା ୩୦, ବେଶ ୧୨ଟା ୩୫, ତିନିରଥର ମଧ୍ୟାହ୍ନ ଧୂପ ଶେଷ ୧୨ଟା ୪୦ରୁ ୧ଟା ୩୫, ସନ୍ଧ୍ୟା ଆଳତି ୧ଟା ୩୫, ବେଶ ଶେଷ ଅପରାହ୍ନ ୧ଟା ୪୫ରୁ ୨ଟା, ସନ୍ଧ୍ୟା ଆଳତି ୧ଟା ୫୫ରୁ ୨ଟା ୧୫, ସନ୍ଧ୍ୟା ଧୂପ ୩ଟା୧୫, ଚାରମାଳ ବନ୍ଧା ଶେଷ ୭ଟା ୩୫, ସିଂହାସନ ମାଜଣା ସନ୍ଧ୍ୟା ୬ଟା୪୦, ତିନିରଥରେ ପୁଷ୍ପାଞ୍ଜଳି ସନ୍ଧ୍ୟା ୭ଟା ୪୦ରୁ ୭ଟା ୫୦। ମୁଦିରସ୍ତଙ୍କ ଦ୍ୱାରା ତିନିରଥରେ ପୁଷ୍ପାଞ୍ଜଳି ପ୍ରଦାନ ପରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ନିମନ୍ତେ ବିଜେ କାହାଳୀ ବାଜିଥିଲା। ପ୍ରଥମେ ମଦନମୋହନ, ପରେ ରାମକୃଷ୍ଣ ଓ ଶେଷରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ।

ସେହିପରି ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରତ୍ନ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ଗୋଟିପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା। ରବିବାରଠାରୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିଛି।

error: Content is protected !!