July 26, 2026

Now Odisha

Now Odisha

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

Spread the love

ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି ।

ପରମ୍ପରା ଆଧାରରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଲାଗି କରାଯାଇଥାଏ । ଏହି ଅବସରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ରଥ ଶୋଧନ ପରେ ମୁରୁଜରେ ପୂଜା କରାଯାଇ ହାଣ୍ଡିମାନଙ୍କୁ ତାରି ଉପରେ ରଖାଯାଇ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ବତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ରଥ ଉପରେ ରଖାଯାଇ ଟେରା ବନ୍ଧାଯାଇଥିଲା । ନନ୍ଦିଘୋଷ ରଥରେ ୩ହାଣ୍ଡି ଅଧର ପଣା ଭୋଗ କରାଯାଇଥିଲା । ଏହି ୩ହାଣ୍ଡି ପଣାକୁ ପଣ୍ଡିତମାନଙ୍କ ପଞ୍ଚୋପଚାର ପଦ୍ଧତିରେ ଶ୍ରୀ ଶ୍ରୀ ଦଧିବାମନଙ୍କୁ ଅର୍ପଣ କରାଯାଇଥିଲା । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା ।

ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯାଇଥିଲା । ପରେ ରଥ ଉପରେ ପ୍ରଭୁଙ୍କ ଶେଷ ପୂଜା ନୀତି ସମାପନ ପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ପହଣ୍ଡି କରି ଏକ ଭବ୍ୟ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ସେଠାରେ ଅଭିମାନିନି ଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରି ପ୍ରଭୁଙ୍କ ବାଟ ଓଗାଳିଥିଲେ । ଏହାଦେଖି ପ୍ରଭୁ ଦଧିବାମନ ଲକ୍ଷ୍ମୀଙ୍କୁ ଦ୍ୱାର ଉନ୍ମୁକ୍ତ କରିବା ପାଇଁ ଆକୁଳ ନିବେଦନ କରିଥିଲେ ।

ମା ଲକ୍ଷ୍ମୀ ଦ୍ୱାର ଖୋଳିବା ପରିବର୍ତ୍ତେ ଅଭିମାନ ସୂଚକ ବାକ୍ୟାଳାପ କରିଥିଲେ । ପ୍ରାଣପ୍ରିୟା ଲକ୍ଷ୍ମୀଙ୍କର ଏହିପରି ମୃଦୁ ଭର୍ତ୍ସନାକୁ ସହ୍ୟ କରି ନ ପାରି ପ୍ରଭୁ ଦଧିବାମନ ଦେବୀଙ୍କ ରୂପ, ଗୁଣ ଓ ପିତୃକୂଳର ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ହାର ମାନିଥିଲେ। ପରିଶେଷରେ ଶ୍ରୀ ଦଧିବାମନ ଲକ୍ଷ୍ମୀଙ୍କଠାରେ ସ୍ତ୍ରୀର ସ୍ବତନ୍ତ୍ର ମର୍ଯ୍ୟାଦା, ସ୍ବଧିନତାକୁ ସ୍ବୀକୃତି ଦେବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ହୋଇଥିଲା ।

ଏହାପରେ ମହାଲକ୍ଷ୍ମୀ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ନୀଳାଚଳ ଛାଡି କୁଆଢେ ଯାଇଥିଲ, ମୋ ପାଇଁ କ’ଣ ଆଣିଛ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ମୁଁ ମାଉସୀ ମନ୍ଦିର ଆଡ଼ପମଣ୍ଡପକୁ ଯାଇଥିଲି, ସେଠାରୁ ତୁମପାଇଁ ମାଉଁସୀ ଗୁଣ୍ଡିଚାଙ୍କ ହାତତିଆରି ପୋଡପିଠା, ରସଗୋଲା ଆଣିଛି ବୋଲି କହିଥିଲେ । ଏହାପରେ ଲକ୍ଷ୍ମୀ ଗମ୍ଭୀରା ନିକଟସ୍ଥ ଜୟବିଜୟ ଦ୍ୱାର ଖୋଳିଥିଲେ । ଏହାସହ ପ୍ରଭୁଙ୍କୁ ପୂଜା ବନ୍ଦାପନା କରାଯାଇ ରତ୍ନସିଂହାସନରେ ବିଜେ କରାଯାଇଥିଲା । ପରେ ତାଙ୍କୁ ରସଗୋଲା ଭୋଗ ଲାଗି କରାଯାଇଥିଲା ।

ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ରଥାଋଢ ଦଧିବାମନ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭଟଲି ଥାନା ଅଧିକାରୀ ବିଭୁତି ଭୂଷଣ ଦଳେଇଙ୍କ ସମେତ ବିଭିନ୍ନ ଥାନାର ଥାନା ଅଧିକାରୀ ଓ ପୋଲିସ ବାହିନୀ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର ଏବଂ ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରଶାସନିକ ଦାୟିତ୍ୱରେ ରହିଥିଲେ। ରଥଯାତ୍ରା ପାଳନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ରଥଯାତ୍ରା ମହୋତ୍ସବକୁ ସୁରୁଖୁରୁରେ ସମାପନ କରିଥିଲେ ।

error: Content is protected !!