July 26, 2026

Now Odisha

Now Odisha

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

Spread the love

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ ଧରିବାରେ ସଫଳତା ମିଳିଛି। ପ୍ରକାଶ ଯେ, ଥାନାଠାରୁ ମାତ୍ର ଗୋଟିଏ କିମି ଦୂରତା ଗ୍ରୀନବାଡ଼ି ଅଞ୍ଚଳରେ ଏକାଧିକ ଯୁବକ କିଛି ଦିନ ହେଲା ଉକ୍ତ ଥାନା ଅଞ୍ଚଳରୁ ଗଞ୍ଜେଇ ଚାଷୀଙ୍କଠାରୁ ଗଞ୍ଜେଇ ଆଣି କମ୍ପ୍ରେସର ମେଶିନ ଓ ଓ୍ବେଲ୍ଡିଂ ମେଶିନର ସହାୟତାରେ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିଲେ।

କୌଣସି ସୂତ୍ରରୁ ସୂଚନା ପାଇ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ସଦଳବଳ ମଙ୍ଗଳବାର ଚଢ଼ାଉ କରିଥିଲେ। ଏଥିରେ ସମ୍ପୃକ୍ତି ୨ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ସମେତ ଗୋଟିଏ ହାତରେ ଚଳାଯାଉଥିବା କମ୍ପ୍ରେସର ମେଶିନ, ୨ଟି ଓ୍ବେଲ୍ଡିଂ ମେଶିନ ଓ ୨ଟି ମୋବାଇଲ ଜବତ କରାଯାଇ ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ଜେନା କହିଛନ୍ତି।

ଗିରଫ ୨ ଯୁବକ ହେଲେ ସଞ୍ଜୟ ସାହୁ ଏବଂ ସୁଧୀର ସାହୁ। ଦୁହେଁ ଗଞ୍ଜାମ ଜିଲା ଆସିକା ଅଞ୍ଚଳ ଦେବଭୂଇଁ ପଞ୍ଚାୟତ ବାମ ଗ୍ରାମର ହୋଇଥିବା ବେଳେ କିନ୍ତୁ ସଞ୍ଜୟ ସିମନବାଡ଼ି ଓ ସୁଧୀର ଗ୍ରୀନବାଡ଼ି ପଞ୍ଚାୟତ ଲାଇନପଡା ଗ୍ରାମରେ ରହି ଏହି ଗଞ୍ଜେଇ ଚୋରାଚାଲାଣ କରୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏଥିରେ ଆହୁରି କିଛିଜଣ ସମ୍ପୃକ୍ତି ରହିଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଛି। ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଏବଂ ବାଲିଗୁଡା ଏସ୍‌ଡିପିଓ ଶୁଭମ୍‌ ଭୋସଲେ କହିଛନ୍ତି। ଏନେଇ ଥାନାରେ କେସ୍‌ ନଂ (୧୯୫/୨୬)ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।

error: Content is protected !!