July 28, 2026

Now Odisha

Now Odisha

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ର(୯୭) ଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଜୁନ ୨୩ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବା ସହ ସମ୍ମାନୀତ କରିଥିଲେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ପଦ୍ମଶ୍ରୀ ସୀମାଞ୍ଚଳ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।
ସୋମବାର ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ଆଲୋଚନା ସମୟରେ ଦିଗପହଣ୍ଡିସ୍ଥିତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଏବଂ ସାମାଜିକ କର୍ମୀ ବାପି ପ୍ରଧାନ ଉପସ୍ଥିତ ଥିଲେ।

ବମୋକେଇ ଗ୍ରାମର ସ୍ବର୍ଗତ ସୁର ପାତ୍ର ଓ ବାଙ୍ଗାରି ଦେବୀଙ୍କ ପୁଅ ସୀମାଞ୍ଚଳ ମାତ୍ର ୬ ବର୍ଷ ବୟସରେ ପାଲୁରଗଡର ନୃତ୍ୟଗୁରୁ ନରସିଂହ ପ୍ରଧାନଙ୍କଠାରୁ ଓଡ଼ିଶୀ ନୃତ୍ୟର ପୂର୍ବାଭାସ ସଖୀ ନାଚ ଶିକ୍ଷା କରିଥିଲେ। ବାପା ସୁର ପାତ୍ର ଜଣେ ଗରିବ ଚାଷୀ ପରିବାର ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୃତ୍ୟ ଗୀତ ପ୍ରତି ତାଙ୍କର ରୁଚି ଥିଲା। ସେ ଗ୍ରାମର ପ୍ରହ୍ଲାଦ ନାଟକର ରାଜା ହିରଣ୍ୟ୍ୟକଶ୍ୟପ ରୂପେ ଅଭିନୟ କରୁଥିଲେ। ତେଣୁ ସିମାଞ୍ଚଳ ପିଲାଟି ଦିନରୁ ପିତାଙ୍କୁ ଅନୁସରଣ କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଦେଖି ପିତା ତାଙ୍କୁ ନାଟକର ସୂତ୍ରଧର ଗୀତ ଅଭ୍ୟାସ କରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିର୍ଦ୍ଦେଶନାରେ ସେ ରଜାନାଟ ବା ପ୍ରହ୍ଲାଦ ନାଟକରେ ପ୍ରହ୍ଲାଦ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିଲେ। ପିତାଙ୍କ ଦେହାନ୍ତ ପରେ ସେ ପ୍ରହ୍ଲାଦ ନାଟକର ଗୁରୁ ତ୍ରିନାଥ ପ୍ରଧାନ
ଏବଂ ଲକ୍ଷ୍ମଣ ଶତପଥିଙ୍କ ନିକଟରେ ଦୀର୍ଘ ୨୦ ବର୍ଷ ନୃତ୍ୟାଭିନୟର ବିଭିନ୍ନ ଶୈଳୀ, ରାଗ,ରସ,ଲୟ, ଠାଣି, ସଂଳାପ,ନୃତ୍ୟ ଭଙ୍ଗୀ ପ୍ରଭୃତି ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ହିରନ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରି ଆସୁଥିଲେ। ତାଙ୍କୁ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ରଜା ସୀମାଞ୍ଚଳ ବୋଲି ଲୋକେ ଡାକୁଛନ୍ତି।
ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୀମାଞ୍ଚଳଙ୍କୁ ପ୍ରହ୍ଲାଦ ନାଟକର ରଜା ଭୂମିକାରେ ଉଚ୍ଚକୋଟୀର ଅଭିନୟ ଓ ଲୋକ ନାଟକର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୧୯୯୦ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ। ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୧୯୯୭ ରେ ଲୋକନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।
ସେହିପରି ଗତ ୨୦ ଓ ୨୧ ତାରିଖରେ ଦିଗପହଣ୍ଡିଠାରେ ଆୟୋଜିତ ଖେମୁଣ୍ଡି ଲୋକକଳା ମହୋତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଧାୟକ ଯୋଗଦେଇ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ସୀମାଞ୍ଚଳ ବୟୋବୃଦ୍ଧ ବୟସରେ ମଧ୍ୟ ମହୋତ୍ସବରେ ଅନୁଷ୍ଠିତ ପ୍ରହ୍ଲାଦ ରଜା ନାଟକରେ ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରି ଅତିଥି ବୃନ୍ଦ ଏବଂ ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲେ।

error: Content is protected !!