କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି। ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳ ୧୦ ପଞ୍ଚାୟତ ଯଦୁପୁର, ଜୟଚନ୍ଦ୍ରପୁର, ତିଖିରି, ପାଟଳିପଙ୍କ, ଅମେଇପାଳ, ଖୁରୁସିଆ, ଟିକରପଙ୍ଗା,
ତେରଗାଁ, ଗଡ଼ରୋମିତ ଓ ବଡକୂଳ ସମେତ ମାର୍ଶାଘାଇ ବ୍ଲକର କେତେକ ପଞ୍ଚାୟତର ଶହ ଶହ ହେକ୍ଟର ଜମିରେ ବର୍ଷା ଓ ବନ୍ୟା ହେଲେ ବିଶାଳ ବଉଦପାଟର ଜଳ ନିଷ୍କାସନ ହେବାରେ ୫୩ ନମ୍ବର ଜାତୀୟ ରାଜପଥ ବାଧକ ସାଜିଛି। ୧୯୬୨-୬୩ରେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଦୈତାରୀ-ପାରାଦୀପକୁ ଖଣିଜ ପଦାର୍ଥ ପରିବହନ ପାଇଁ ସୁଦୀର୍ଘ ଲମ୍ବା ରାସ୍ତା ନିର୍ମାଣ କାର୍ଯ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ୱରାନ୍ବିତ କରିଥିଲେ। ଏହା ପରେ ବଉଦପାଟକୁ ଦୁଇଭାଗ କରି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ଏହା ପରେ ସାଧାରଣ ଭାବେ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପଥ ନୀଳାଚଳ ଛକଠାରେ ଏକ ସ୍ଲୁଇସ୍ ଗେଟ ଦେଇ ମହାନଦୀକୁ ଯାଇଥାଏ। ହେଲେ ବିଶାଳ ବଉଦପାଟ ଶହ ଶହ ହେକ୍ଟର ଚାଷ କ୍ଷେତର ଜଳ ନିଷ୍କାସନ ବ୍ୟବସ୍ଥା ଏହି ଗୋଟିଏ ପଥଦ୍ୱାର ରହିଛି। ଫଳରେ ବର୍ଷା ଦିନରେ ଜଳ ନିଷ୍କାସନ ସମସ୍ୟା ଦେଖାଦିଏ।
ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ଜଳ ସମସ୍ୟା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମଧ୍ୟ ଯେସାକୁ ତେସା ଭଳି ମନେ ହୁଏ। ସରକାର ଆସେ ପୁଣି ବଦଳେ, ହେଲେ ବିଶାଳ ବଉଦପାଟ ଜଳ ନିଷ୍କାସନ ବ୍ୟବସ୍ଥା ଫାଇଲ ଭିତରେ ବାନ୍ଧି ହୋଇଯାଇଛି। ଏହି ଅଞ୍ଚଳର ଚାଷୀମାନଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରଶାସନ ପକ୍ଷରୁ ସେତେଟା ଆଖି ଦୃଶିଆ କାର୍ଯ୍ୟ ହାତକୁ ନେଇ ନାହାନ୍ତି ବୋଲି ଅଞ୍ଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ମହିଳା ସଂଗଠନ, ଶିକ୍ଷାବିତ୍ ଓ ବିଭିନ୍ନ ରାଜନତିକ ଜନ ପ୍ରତିନିଧିମାନେ କହିଛନ୍ତି। ଅପରପକ୍ଷରେ ଏହି ବଉଦପାଟରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନ, ଜଳସେଚନ ବିଭାଗର (ଜଳ ନିକାସ) ତତ୍ପରତା ପ୍ରକାଶ ପାଇଛି। ହେଲେ କେବେ ଦୂରହେବ ଏହି ଅଞ୍ଚଳର ଶହ ଶହ ଚାଷୀଙ୍କ ଦୁଃଖ। ଦିନକ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଏହି ବଉଦପାଟ ପରିଦର୍ଶନ କରାଯାଇ ଲୋକଙ୍କ ସହିତ ବିଚାର ବିମର୍ଶ ସରିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳ ନିକାଶ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା, ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି।

More Stories
ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ
ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ