August 3, 2026

Now Odisha

Now Odisha

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

Spread the love

ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ ଘଟିଥିବା ଦୁଇଟି ପୃଥକ ଲୁଟ୍‌ ମାମଲାରେ ପୋଲିସ ଦ୍ରୁତ ତଦନ୍ତ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ପରେ ଏବେ ଗାରାବନ୍ଧା ଥାନା ଅଞ୍ଚଳରେ ୭ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମଧ୍ୟ ପୋଲିସ ସଫଳତା ପାଇଛି।
ସୂଚନାନୁସାରେ, ଗୁରାଣ୍ଡି ଥାନା ଅନ୍ତର୍ଗତ ବଡଦେଉଳା ଗ୍ରାମର ଗଙ୍ଗାଧର ଭୂୟାଁ (୬୨) ନିଜ ଘର ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶର ପଲାସାର ଜଣେ ଠିକାଦାରଙ୍କୁ ଅଗ୍ରିମ ବାବଦରେ ୭ ଲକ୍ଷ ଟଙ୍କା ଦେବାକୁ ଯାଉଥିଲେ। ଏହି ସମୟରେ ଗାରାବନ୍ଧା ଥାନା ଅନ୍ତର୍ଗତ ରତନସିଂ ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୭ ଲକ୍ଷ ଟଙ୍କା ସହ ଏଟିଏମ କାର୍ଡ ଓ ବ୍ୟାଙ୍କ ପାସବୁକ ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ଗାରାବନ୍ଧା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବୈଷୟିକ ପ୍ରମାଣ ଓ ଅନ୍ୟାନ୍ୟ ସୂତ୍ରକୁ ଆଧାର କରି ତଦନ୍ତ ଆଗେଇ ନେବା ପରେ ଦୁର୍ବୃତ୍ତମାନେ ଆନ୍ଧ୍ରପ୍ରଦେଶର ଏକ ଗ୍ରାମରେ ଲୁଚିଥିବା ସୂଚନା ପାଇଥିଲେ। ଏହାପରେ ପୋଲିସ ଟିମ ସେଠାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରାଯାଇଛି। ଏହି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜାଖୋଜିି ଜାରି ରହିଥିବା ଗାରାବନ୍ଧା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ପାରଳାଖେମୁଣ୍ଡି ଏସ୍‌ବିଆଇ ମୁଖ୍ୟ ଶାଖା ପରିସରରେ ଘଟିଥିବା ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ମଧ୍ୟ ଗାରାବନ୍ଧା ଥାନା ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦୁଇ ଦିନ ମଧ୍ୟରେ କ୍ରମାଗତ ଦୁଇଟି ଲୁଟ୍‌ ମାମଲାର ପର୍ଦ୍ଦାଫାଶକୁ ନେଇ ଗାରାବନ୍ଧା ପୋଲିସକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଅନ୍ୟ ଅପରାଧ ମାମଲାରେ ମଧ୍ୟ ଏଭଳି ସଫଳତା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

error: Content is protected !!