August 7, 2026

Now Odisha

Now Odisha

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା

Spread the love

ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗାଁରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା କରିଛି। ମୃତା ହେଲେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାନକାର ଗାଁର ରୋଜାଲିନ ମଳିକ(୨୭)। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲାବେଳେ ଅଭିଯୁକ୍ତ ସ୍ବାମୀ ଶୈଳେନ୍ଦ୍ର ମଳିକ(୩୦) ଫେରାର ଅଛନ୍ତି। ଖବରପାଇ ପୋଲିସ ରୋଜାଲିନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରୋଜାଲିନ୍‌ଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ନେମାଳ ଥାନାରେ ମାମଲା (ନଂ. ୨୧୦/୨୬) ରୁଜୁ ହୋଇଛି।
ଶୈଳେନ୍ଦ୍ର ଅହମ୍ମଦାବାଦର ଏକ ଘରୋଇ କମ୍ପାନୀ ଚାକିରି କରିଥିଲେ। ଗତ ମାସରେ ସେ ଚାକିରି ଛାଡ଼ି ଓଡ଼ିଶା ଚାଲିଆସିଥିଲେ। ପରେ ଜୁଲାଇ ୧୨ରେ ନାନକାର ଗାଁର ରୋଜାଲିନଙ୍କୁ ବିବାହ କରିଥିଲେ। ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଶୋଇବା ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶୈଳେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ହଠାତ୍‌ ଘରୁ ଏକ ଟାଙ୍ଗିଆ ବାହାରକରି ସ୍ତ୍ରୀ ରୋଜାଲିନ୍‌ଙ୍କ କାନମୁଣ୍ଡାକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ଅନ୍ୟ ଘରେ ଅଭିଯୁକ୍ତଙ୍କ ବୋଉ, ବାପା ଏବଂ ଭାଇ ଶୋଇଥିଲେ। ରୋଜାଲିନ୍‌ଙ୍କ ଚିିତ୍କାର ଶୁଣି ସେମାନେ କବାଟ ବାଡ଼େଇଥିଲେ। ମାତ୍ର ଶୈଳେନ୍ଦ୍ର ସମସ୍ତଙ୍କୁ ହାଣିଦେବେ ବୋଲି ଧମକ ଦେବା ସହ ଘରୁ ଫେରାର ହୋଇଯାଇଥିଲେ। ଅପରପକ୍ଷରେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ନେଇ ରୋଜାଲିନ୍‌ଙ୍କ ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ମାତ୍ର ଶୈଳେନ୍ଦ୍ରଙ୍କ ମା’, ବାପା ଏହି ହତ୍ୟାକାଣ୍ଡର କାରଣ ବିଷୟରେ କିଛି ଜାଣି ନ ଥିବା ବେଳେ ଏହାପଛରେ ସେମାନଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ପୋଲିସକୁ କହିଛନ୍ତି। ଏପରି କି ଏହି ଘଟଣାପୂର୍ବରୁ ଶୈଳେନ୍ଦ୍ର ଓ ରୋଜାଲିନ୍‌ଙ୍କ ମଧ୍ୟରେ ସୁସମ୍ପର୍କ ଥିଲା ବୋଲି ସେମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଶୈଳେନ୍ଦ୍ର ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଅଭିଯୁକ୍ତ ଧରା ପଡ଼ିବା ପରେ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିବ ବୋଲି ନେମାଳ ପୋଲିସ କହିଛି।

error: Content is protected !!