ସିମଳା: ହିମାଚଳ ପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ଭୂସ୍ଖଳନ ଯୋଗୁଁ ୧୮ ବସ୍ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି। ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଉକ୍ତ ବସ୍ଟି ରୋହତକ୍ରୁ ଘୁମାରୱିନ ଯାଉଥିବାବେଳେ ବଲ୍ଲୁ ବ୍ରିଜ (ବାଲୁଘାଟ) ନିକଟରେ ପାହାଡରୁ ହଠାତ୍ ବଡ ପଥର ଖଣ୍ଡ ଓ ମାଟି ଅତଡା ଖସିବାରୁ ବସ୍ଟି ସମ୍ପୂର୍ଣ୍ଣ ପୋତି ହୋଇପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଓ ଦମକଳ ବାହିନୀ ଧ୍ବଂସସ୍ତୂପ ତଳୁ ୧୮ଟି ମୃତଦେହ ଉଦ୍ଧାର କରାଯାଇଛି। ଆହତ ୪ ଜଣଙ୍କୁ ନିକଟସ୍ଥ ବର୍ଥିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧ୍ବଂସସ୍ତୂପ ତଳେ ଆଉ
କେତେକ ଯାତ୍ରୀ ପୋତି ହୋଇପଡିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବିଳାସପୁର ଡେପୁଟି କମିସନର ରାହୁଲ କୁମାର ସୂଚନା ଦେଇଛନ୍ତି। ଜେସିବି ସହାୟତାରେ ଅତଡା ପରିଷ୍କାର କରାଯାଉଥିବାବେଳେ ଗ୍ୟାସ କଟର ସାହାଯ୍ୟରେ ବସ୍ ଛାତକୁ କାଟି ମୃତାହତଙ୍କୁ ବାହାର କରାଯାଉଛି।
ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ ବସ୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଃଖଦ ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |