January 25, 2026

Now Odisha

Now Odisha

ଧର୍ମଓରାଜନୀତିର_ଖେଳ

Spread the love

ସହରର ଅତି ନିକଟରେ ଥିବା ଏକ ଥୁଣ୍ଟା ପାହାଡର ଶୀର୍ଷଦେଶରେ ଥିବା ମାତ୍ର କେଇଟା ଗଛ ଭିତରୁ ସବୁଠାରୁ ଉଚ୍ଚ ଗଛର ଶାଖାରେ ଶାଗୁଣାଟିଏ ବସା ତିଆରି କରି ରହୁଥାଏ । ସେହି ବସାରେ ଥାଏ ତାର ଏକମାତ୍ର ଶିଶୁ ଶାବକ । ଶାବକଟି ଯେତେ ଯେତେ ବଢୁଥାଏ , ତାକୁ ସେତେ ସେତେ ଅଧିକ ଭୋକ ଲାଗୁଥାଏ । ବିଚାରୀ ମା ଶାଗୁଣାଟି ତାର ଶାବକ ପାଇଁ ଖାଦ୍ୟ ଯୋଗାଡ଼ କରି କରି ହାଲିଆ ହୋଇ ପଡୁଥାଏ ।

ଦିନେ ଶାବକଟି ମଣିଷ ମାଂସ ଖାଇବା ପାଇଁ ଜିଦ୍ ଧରି ବସିଲା । ମା ଶାଗୁଣାଟି ସହରର ଚାରିଆଡ଼େ ବୁଲାବୁଲି କରି ମଧ୍ୟ ମଣିଷ ମାଂସ ଯୋଗାଡ଼ କରି ପାରିଲା ନାହିଁ । ହତାଶ ହୋଇ ଗୋଟିଏ ଅତି ଅପରିଷ୍କାର ବସ୍ତି ଉପରେ ଦେଇ ଉଡି ଯାଉଯାଉ ଦେଖବାକୁ ପାଇଲା ଯେ ଗୋଟିଏ ଜାଗାରେ ଘୁଷୁରୀ କଟା ହେଉଛି । ସେଠାକାର ଲୋକମାନଙ୍କର ଅସାବଧନତାର ସୁଯୋଗ ନେଇ କଟା ହୋଇଥିବା ଗୋଟିଏ ଘୁଷୁରୀର ବଡ଼ ଖଣ୍ଡେ ମାଂସ ଧରି ଚାଲିଗଲା । ତାର ଭୋକିଲା ଶାବକଟିକୁ ଯେତେବେଳେ ସେହି ମାଂସ ଖଣ୍ଡକ ଦେଲା , ତାର ଶାବକ ରାଗିଯାଇ କହିଲା -” ଏଇଟା ଘୁଷୁରୀ ମାଂସ, ମୁଁ ଖାଇବି ନାହିଁ । ମୁଁ ତୁମକୁ ମଣିଷର ମାଂସ ମାଗିଥିଲି । ଭୋକରେ ମରିଯିବି ପଛକେ ମଣିଷର ମାଂସ ନପାଇବା ପର୍ଯ୍ୟନ୍ତ ଅନ୍ୟ କିଛି ଖାଇବି ନାହିଁ । “

ମା ଶାଗୁଣାଟି ପୁଣି ମଣିଷର ମାଂସ ଚାରିଆଡ଼େ ଖୋଜି ବୁଲିଲା । ହଠାତ୍ ଗୋଟିଏ ଜାଗାରେ ଦେଖିବାକୁ ପାଇଲା ଯେ ବିରାଟ ଏକ କାରଖାନାରେ ଗୋରୁ କଟାଯାଇ ବିଦେଶକୁ ରପ୍ତାନୀ କରିବା ପାଇଁ ଗୋରୁ ମାଂସ ପ୍ୟାକିଂ କରାଯାଉଛି । କୌଶଳକ୍ରମେ ସେଠାରୁ କଟାଯାଇଥିବା ଗୋଟିଏ ଗୋରୁର ଗୋଡ ଧରି ବସାକୁ ଫେରି ଆସି ତାର ଶାବକକୁ ଦେଲା । ସେ ଭାବିଥିଲା ଯେ ଏତେବଡ଼ ମାଂସ ଖଣ୍ଡ ଦେଖି ତାର ସନ୍ତାନ ନିଶ୍ଚୟ ଖୁସି ହେବ । କିନ୍ତୁ ଶିଶୁ ଶାବକଟି ସେହି ମାଂସ କୁ ମଧ୍ୟ ଛୁଇଁଲା ନାହିଁ । ତାର ଏକା ଜିଦ୍ ସେ ମଣିଷର ମାଂସ ଖାଇବ ।

ଏଥର ଶାଗୁଣାଟି ଦୁଇଟି ଯାକ ମାଂସ ଖଣ୍ଡ ଧରି ଉଡି ଚାଲିଗଲା । ଖୁବ୍ ସତର୍କତାର ସହିତ ଘୁଷୁରୀ ମାଂସ ଖଣ୍ଡକୁ ଗୋଟିଏ ମସଜିଦ ର ଅଗଣାରେ ଏବଂ ଗୋରୁ ମାଂସ ଖଣ୍ଡକୁ ଗୋଟିଏ ମନ୍ଦିରର ବେଢ଼ା ଭିତରେ ପକାଇ ଦେଇ ଚାଲି ଆସିଲା ।

କିଛି ସମୟ ଭିତରେ ସହରରେ ଆରମ୍ଭ ହୋଇଗଲା ଦଙ୍ଗା । ବିଭିନ୍ନ ମାରଣାସ୍ତ୍ର ଧରି ଦୁଇଗୋଷ୍ଠୀ ଭିତରେ ଆରମ୍ଭ ହୋଇଗଲା ତୁମୁଳକାଣ୍ଡ । ସହରର ରାସ୍ତାଘାଟ ଚାରିଆଡ଼େ ରକ୍ତର ବନ୍ୟା ବୋହିବାକୁ ଲାଗିଲା । ଚାରିଆଡେ କଟା ହାତ, କଟା ମୁଣ୍ଡ , କଟାଗୋଡ ନଚେତ୍ ମଣିଷମାନଙ୍କର କ୍ଷତବିକ୍ଷତ ମୃତଦେହ ପଡି ରହିଲା । ଆଉ ତାପରେ ସହରରେ ଖେଳିଗଲା ଶ୍ମଶାନର ନୀରବତା ।

ଶାଗୁଣାଟି ଏଥର ଗୋଟିଏ ମଣିଷର କଟା ହାତକୁ ଥଣ୍ଟରେ ଧରି ଫେରି ଆସିଲା ତାର ବସାକୁ । ମଣିଷର ମାଂସ ପାଇ ଉଲ୍ଲସିତ ତାର ଶାବକ ମଣିଷର ମାଂସ ଖାଇବାକୁ ଲାଗିଲା । ଖାଉ ଖାଉ ସେ ମା କୁ ପଚାରିଲା -” ମା ଏତେ ସହଜରେ ମଣିଷ ମାଂସ ତୁମେ କେମିତି ଯୋଗାଡ କଲ ? “

ମା ଶାଗୁଣା କହିଲା -” ଏହି ମଣିଷ ଜାତିଟା ହିଁ ଏମିତି । ସୃଷ୍ଟିକର୍ତ୍ତା ଏମାନଙ୍କୁ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ସୃଷ୍ଟି କରିଛନ୍ତି, କିନ୍ତୁ ଧର୍ମ ଓ ରାଜନୀତି ନାମରେ ଏମାନଙ୍କୁ ଆମଠାରୁ ମଧ୍ୟ ଅଧିକ ହିଂସ୍ର କରି ଦିଆଯାଇପାରେ । “

ଶାବକଟି କହିଲା – “ମା ତୁମେ କାହିଁକି ଧର୍ମକୁ ବ୍ୟବହାର କଲ ? ମୋ ପାଇଁ ଖଣ୍ଡେ ମାତ୍ର ମାଂସ ଦରକାର ଥିଲା , ଅଥଚ ତୁମେ ଧର୍ମକୁ ବ୍ୟବହାର କରିବା ଫଳରେ ଅସଂଖ୍ୟ ନିରୀହ ଲୋକ ମୃତ୍ୟୁବରଣ କଲେ । କିଛି ଚତୁର ରାଜନୀତି ତ କରିପାରିଥାନ୍ତ । “

ମା ଶାଗୁଣା ହସି ଉତ୍ତର ଦେଲା – ” ସେଥିରେ ବି ନିରୀହ ଲୋକ ମୃତ୍ୟୁବରଣ କରିଥାନ୍ତେ । ଧର୍ମଟା ସେମାନଙ୍କର ଆବେଗର ବିଷୟ ତେଣୁ ଫଳାଫଳ ବି ତାତ୍କାଳ । ତୁ ଆଜି ଖାଇବା ପାଇଁ ଜିଦ୍ କରିଥିଲୁ । ତୋତେ ଆଜି କେମିତି ମୁଁ ଓପାସରେ ରଖି ପାରିଥାନ୍ତି !
ରାଜନୀତିଟା କୁଟିଳ ଓ ଜଟିଳ , ତହିଁରେ ଫଳ ମିଳିବାକୁ ବିଳମ୍ବ ହୋଇଥାଏ । ଏହା ଆରମ୍ଭ ହେବାକୁ ସମୟ ଲାଗେ କିନ୍ତୁ ଥରେ ଆରମ୍ଭ ହୋଇଗଲେ ଆଉ ଅଟକେ ନାହିଁ । “

ଶାବକ କହିଲା -” ଏତେ କଥା ତୁମେ କେମିତି ଜାଣିଲ ମା ?”

ମା ଶାଗୁଣା କହିଲା – ” ଏସବୁ ମୁଁ ମଣିଷଙ୍କ ପାଖରୁ ଶିଖିଛି । ଏମାନେ ଯେତେବେଳେ କୌଣସି ସ୍ବାର୍ଥ ହାସଲ କରିବାରେ ଅସଫଳ ବା ବ୍ୟର୍ଥ ହୁଅନ୍ତି ସେତେବେଳେ ସହଜ ପଥ ଭାବରେ ହୁଏତ ଧର୍ମ ନଚେତ୍ ରାଜନୀତିକୁ ହିଁ ବ୍ୟବହାର କରିଥାନ୍ତି ।

ମଣିଷର ସମାଜରେ ଯାହା ଯାହା ଘଟୁଥାଏ ସବୁକିଛି ଧର୍ମ ଓ ରାଜନୀତିର ଖେଳ, ବାପା !” —————————————-
( ସୋସିଆଲ ମିଡିଆରୁ…)

error: Content is protected !!