July 29, 2026

Now Odisha

Now Odisha

ହମାସ କବଳରେ ଦୀର୍ଘ ଦୁଇ ବର୍ଷ ହେଲା ପଣବନ୍ଦୀ ହୋଇଥିବା ଇସ୍ରାଏଲ ନାଗରିକମାନେ ଶେଷରେ ଗାଜାରୁ ମୁକୁଳିଛନ୍ତି। ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ଏଥିସହ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୁଥିବା ପ୍ରୟାସକୁ ମୋଦି ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ “ଆମେ ଦୁଇ ବର୍ଷରୁ ଅଧିକ ସମୟ ହେଲା ପଣବନ୍ଦୀ ହୋଇ ରହିଥିବା ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରୁଛୁ। ସେମାନଙ୍କ ଆଜାଦୀ ସେମାନଙ୍କ ପରିବାର ଲୋକଙ୍କ ସାହାସ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତୁଟ ଶାନ୍ତି ପ୍ରୟାସ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ସଂକଳ୍ପର ପ୍ରତୀକ। ଆମେ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ସମର୍ଥନ କରୁଛୁ।”ଗାଜା ଶାନ୍ତି ଡିଲ ଅନୁସାରେ ହମାସ ପକ୍ଷରୁ ଇସ୍ରାଏଲ ର ସମସ୍ତ ୨୦ ଜୀବିତ ପଣବନ୍ଦୀଙ୍କୁ ଆଜି ମୁକ୍ତ କରାଯାଇଛି। ଏଥିସହ ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଏକପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିବାର ବାଟ ଫିଟିଛି। ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲରେ ଭୟଙ୍କର ହମଲା କରାଯାଇଥିଲେ। ଏଥିରେ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।ହମାସ ନିଜ ସହ ୨୫୧ ଜଣଙ୍କୁ ବନ୍ଧକ ବନାଇ ଗାଜା ନେଇ ଯାଇଥିଲା। ସେବେ ଠାରୁ ହମାସର ମୂଳପୋଛ କରିବାକୁ ଇସ୍ରାଏଲ ଗାଜାରେ ହମଲା କରି ଚାଲିଥିଲା। ଏଥିରେ ଅନେକ ସାଧାରଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି।ଶତାଧିକ ହମାସ ସଦସ୍ୟ ମଧ୍ୟ ନିହତ ହୋଇଥିଲେ। ଦୀର୍ଘ ୨ ବର୍ଷ ପରେ ଟ୍ରମ୍ପଙ୍କ ପ୍ରୟାସ ଯୋଗୁ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହାପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀ କାଳୀନ ଶାନ୍ତି ଚୁକ୍ତି ବଳରେ ହମାସ କିଛି ପଣବନ୍ଦୀଙ୍କୁ ରିଲିଜ କରିଥିଲା। ଏବେ ଶେଷ ପର୍ଯ୍ୟାୟରେ ବାକି ୨୦ ଜଣ ମୁକ୍ତ ହୋଇଛନ୍ତି।ଇସ୍ରାଏଲ ମଧ୍ୟ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କୁ ଶାନ୍ତି ଚୁକ୍ତି ଅନୁସାରେ ଜେଲରୁ ଖଲାସ କରିଛି।

Spread the love
error: Content is protected !!