March 13, 2026

Now Odisha

Now Odisha

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ…

Spread the love

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ୩ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଗଜପତି ଜିଲାର ରାମଗିରି (ବଡ଼ଗାଁ-ଅନଘା ମୁଖ୍ୟ ରାସ୍ତା) ଓ କାଶୀନଗର ଗର୍ଭାଠାରେ ୨ଟି ଭୂସ୍ଖଳନ ଘଟଣା ଏବଂ କୋରାପୁଟ ଜିଲାର ବରିପୁର ଘାଟିଠାରେ ଗୋଟିଏ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ଦଳ ତ୍ବରିତ ବେଗରେ ମାଟି ଅତଡ଼ା ଓ ପଥରକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଇବା ପରେ ଚଳାଚଳ ସ୍ବାଭାବିକ ହୋଇଛି।
ରାଜ୍ୟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ୬୦ ସ୍ଥାନରେ ଗଛ ଭାଙ୍ଗି ଘର ଉପରେ କିମ୍ବା ରାସ୍ତାରେ ପଡ଼ି ଅବରୋଧ ହୋଇଛି। ଗଜପତି, କୋରାପୁଟ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର ଜିଲାରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଛି। ଉକ୍ତ ସ୍ଥାନରୁ ତ୍ବରିତ ବେଗରେ ଗଛ କାଟି ସଫା କରିଛି ଅଗ୍ନିଶମ ବିଭାଗ। ଲଗାଣ ବର୍ଷା ଓ ପବନରେ ଗଜପତି ଓ କୋରାପୁଟ ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଗଜପତିରେ ସର୍ବାଧିକ ୧୬ ସ୍ଥାନରେ ଗଛ କାଟି ରାସ୍ତା ସଫା କରାଯାଇଛି। ଗୁମ୍ମା ଅଧୀନ ରୁଙ୍ଗୁରୁଙ୍ଗୁବାଠାରେ ଏକ ଗଛ ଉପୁଡ଼ି ପଡ଼ିବାରୁ କର୍ଣ୍ଣ ଗମାଙ୍ଗଙ୍କ ଏକ ଗୁହାଳ କ୍ଷତିଗ୍ରସ୍ତ ହେବା ସହ ଦୁଇଟି ଗାଈ ଗୁରୁତର ଆହତ ହୋଇଥିଲେ। ଏଥିସହ ମୟୂରଭଞ୍ଜ, କଟକ, କେନ୍ଦୁଝର, ଜଗତସିଂହପୁରର, ଯାଜପୁର ଓ ଖୋର୍ଦ୍ଧାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗଛ ଭାଙ୍ଗିଯାଇଛି।
ଅନୁରୂପଭାବେ ବାତ୍ୟା ପ୍ରଭାବରେ ବର୍ଷା ହେବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ୮ଟି ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟ କରାଯାଇଛି। ଗଞ୍ଜାମର ଚିକିଟି ଟାଉନ୍, ଏମ୍‌କେସିଜି ମେଡିକାଲ କ୍ୟାମ୍ପସ, ଦିଗପହଣ୍ଡି ରୋଡ଼, ଖଲ୍ଲିକୋଟ ଓ ପୁରୀର ଜଗନ୍ନାଥ ବଲ୍ଲଭ, ସୁଜାତା ନଗର, ବିଧବା ଆଶ୍ରମ ଓ ମାଟି ତୋଟାରେ ଜମିଥିବା ପାଣି ନିଷ୍କାସନ ହୋଇଛି। ସେପଟେ ବାତ୍ୟାର ସ୍ଥିତିରେ ସୁଧାର ଆସିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସୂଚନାକୁ ଆଧାର କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୁବନେଶ୍ୱରରେ ୨୪ ଘଣ୍ଟିଆ ରାଜ୍ୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଆମେ ବିପର୍ଯ୍ୟୟ ପରର ସ୍ଥିତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛୁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

error: Content is protected !!