March 14, 2026

Now Odisha

Now Odisha

ନୂଆପଡ଼ା : ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର ଗୋତମା ଏୟାରପୋର୍ଟରୁ ସୋମବାର ୧୧.୩୦ରୁ ୧୧.୪୫ ମଧ୍ୟରେ ସୁନାବେଡ଼ା ଅଭିମୁଖେ ଉଡ଼ାଣ କରିବ। ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି।ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଲା, ୩୨୦ ସୋସେଙ୍ଗ, ୩୨୧ ସୋସେଙ୍ଗ-୨, ୩୨୨ ଦେଓସିଲ, ୩୨୪ ସୁନାବେଡ଼ା-୧, ୩୨୫ ସୁନାବେଡ଼ା-୧(କ), ୩୨୬ ଜାମଗାଁ, ୩୨୭ ଗତିବେଡା ଓ ୩୨୮ ଗତିବେଡା-୨। ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ। ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ଯିବେ। ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ।

error: Content is protected !!