January 26, 2026

Now Odisha

Now Odisha

ବାଲି ଚୋରା ଚାଲାଣକୁ ବିରୋଧ: ବୁଲିଲା ଭୁଜାଲି, ଯୁବକଙ୍କୁ ଗୋଡ଼ାଇ ହାଣିଲେ ମାଫିଆ |

Spread the love

ସିଂଲା: ବାଲେଶ୍ବର ଜିଲ୍ଲାରେ ମୋରମ ଓ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଥା କଟାକଟି ହେବା ସହ ଭୁଜାଲି ବୁଲିଛି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ବାଲି ପରିବହନକୁ ବିରୋଧ କରିବାରୁ ବାଲି ମାଫିଆଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଗିଲାଯୋଡ଼ି ଗ୍ରାମ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ବାଲି ପରିବହନ ଯୋଗୁଁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାକୁ ନେଇ ଅଞ୍ଚଳବାସୀ ବାରମ୍ବାର ବିରୋଧ କରି ଆସୁଥିବା ବେଳେ ଗତ ଦୁଇଦିନ ତଳେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବାଦ ବିବାଦ ଲାଗି ପାଞ୍ଚ ଜଣ ଆହତ ହୋଇଥିଲେ।ତେବେ ଘଟଣାକୁ ନେଇ ଉଭୟ ପକ୍ଷ ସିଂଲା ଥାନାର ଦ୍ବାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ଦିନ ଗୋଟାଏ ସମୟରେ ଗ୍ରାମର ତାପସ ଜେନା (୨୮) ବଜାରରୁ ଔଷଧ କିଣି ଘରକୁ ଫେରୁଥିବା ବେଳେ ଗ୍ରାମର ପ୍ରଦୀପ ଜେନା, ଜୀବନ ଜେନା, ଦିଲ୍ଲୀପ ଜେନା, କେଶବ ଜେନା, ସଂଜୀବ ଜେନା, ଅଜୟ ଜେନାଙ୍କ ସମେତ ଗ୍ରାମ ବାହାରୁ ଆସିଥିବା କିଛି ଭଡ଼ାଟିଆ ଗୁଣ୍ଡା ତାପସକୁ ଏକ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଖବର ପାଇ ତାପସଙ୍କ ପକ୍ଷରୁ କିଛି ଲୋକ ସେମାନଙ୍କୁ ଅଟକାଇବାକୁ ଯାଇ ୪ ଜଣ ସୁବାସ ଜେନା(୨୬), ସନ୍ତୋଷ କୁମାର ଜେନା(୫୨) ଚୈତନ୍ଯ ଜେନା(୫୦) ଓ ଲିଲି ଜେନା(୩୫) ଆହତ ହୋଇଥିଲେ।କ୍ରମଶଃ ଘଟଣାସ୍ଥଳକୁ ଗ୍ରାମବାସୀଙ୍କ ସୁଅ ଛୁଟିବା ଦେଖି ଆକ୍ରମଣକାରୀ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ। ଏହାପରେ ଆହତଙ୍କ ପକ୍ଷରୁ କିଛି ଲୋକେ ଆକ୍ରମଣକାରୀଙ୍କର ସମ୍ପର୍କୀୟର ପାନ ଦୋକାନକୁ ଭାଙ୍ଗି ଚୁରମାର୍ କରିଦେଇଥିଲେ। ତାପସକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଲୋକେ ପ୍ରଥମେ ବସ୍ତା ହସ୍ପିଟାଲକୁ ପଠାଇଥିଲେ। ମାତ୍ର ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ପରେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବସ୍ତା ଆଇ ଆଇ ସି ରଞ୍ଜିତ କୁମାର ସାହୁ, ସିଂଲା ଆଇ ଆଇ ସି ସୁଚନ୍ଦ୍ର ମହାଳିକ ,ବାଲିଆପାଳ ଆଇ ଆଇ ସି ସାଲଖାନ ମୁର୍ମୁ, ବସ୍ତା ଏସଡ଼ିପିଓ ମାନସ କୁମାର ଦେଓ ଏବଂ ଜଳେଶ୍ବର ଏସଡ଼ିପିଓ ସୁବ୍ରତ କୁମାର ବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମାତ୍ର ଖବର ଲେଖା ହେବା ସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ମୁତୟନ ଅଛନ୍ତି। ତେବେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଓ ଦାୟିତ୍ବହୀନତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣ ରେ ଆଲୋଚନା ହେଉଥିବା ବେଳେ,ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

error: Content is protected !!