ଅଭୟାରଣ୍ୟରେ ଭୟ କରୁଛନ୍ତି ବନ୍ୟଜନ୍ତୁ। ଏକଦା ଯେଉଁ ଘଞ୍ଚ ଜଙ୍ଗଲକୁ ଲୋକେ ଭୟ କରୁଥିଲେ, ତାହା ଆଜିର ଦିନରେ ଅନେକ ପରିବର୍ତ୍ତନ ହୋଇଛି। ଅଭୟାରଣ୍ୟକୁ ଅତୀତରେ ମଣିଷ ପ୍ରବେଶ କରିବା ପାଇଁ ଭୟ କରୁଥିଲା ବେଳେ ବର୍ତ୍ତମାନ ପରିସ୍ଥିତିରେ ଓଲଟା ଦେଖାଯାଉଛି। ବନ୍ୟପ୍ରାଣୀ ଆଉ ସୁରକ୍ଷିତ ମନେ କରୁନାହାନ୍ତି।
ରାଜ୍ୟ ସରକାର ଏବଂ ବନ ବିଭାଗ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ମଧ୍ୟ ଏହାକୁ ଖାତିର କରୁନାହାନ୍ତି ପଶୁ ଶିକାରୀ। ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲା ସଂଲଗ୍ନ କୁଳଡ଼ିହା ଅଭୟାରଣ୍ୟରେ ଅବାଧ ଶିକାର ଚାଲିଛି। ବନ ବିଭାଗ ଅତର୍କିତ ଚଢ଼ଉ କରି ୫ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି।
କୁଳଡିହା ଅଭୟାରଣ୍ୟରେ ପଶୁ ଶିକାର ଜାରି ରହିଛି। ବନ ବିଭାଗର ସତର୍କତା ମୂଳକ ପଦକ୍ଷେପ ସତ୍ତ୍ବେ ଶିକାରୀମାନେ ବେଆଇନକାମ ଜାରି ରଖିଛନ୍ତି। ପୁଣି ଥରେ ଏଠାରେ ଶିକାର ପାଇଁ ଯୋଜନା ଚାଲିଥିଲା ବେଳେ ବିଶେଷ ସୂତ୍ରରୁ ଖବରପାଇ କୁଳଡିହା ଅଭୟାରଣ୍ୟର ଇନଚାର୍ଜ ତଥା ଏସିଏଫ୍ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍ ପଞ୍ଚଲିଙ୍ଗେଶ୍ଵର ସେକ୍ସନ ଖୁଲିଆଚୁଆ ମୁହଁ ପ୍ରବେଶ ପଥରେ ପହଞ୍ଚି ଥିଲା। ବନ ବିଭାଗର କର୍ମଚାରୀମାନେ ସେଠାରେ ଜଗିରହିଥିବା ବେଳେ ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ୫ଜଣ ଶିକାରୀଙ୍କୁ କାବୁ କରିଥିଲେ। ବନ୍ୟଜନ୍ତୁ ଆଇନ୍ ଧାରା ୫୧ଅନୁଯାୟୀ ଗିରଫ କରିଛି। ଅଭିଯୁକ୍ତ ଶିକାରୀ ହେଲେ ନିର୍ମଳ ସିଂ(୪୩), ଚିନ୍ତାମଣି ସିଂ(୪୫), ଶ୍ୟାମ ସିଂ(୩୦), ବ୍ରଜକିଶୋର ସିଂ(୫୧) ଏବଂ ହରିମୋହନ ସିଂ(୪୦)। ସମସ୍ତ ଅଭିଯୁକ୍ତ ନୀଳଗିରି ଥାନା ଔପଦା ବ୍ଲକ୍ କାଣ୍ଡଗରଡି ପଞ୍ଚାୟତ ଖୁଲିଆଗ୍ରାମର ଅଟନ୍ତି। ସେମାନଙ୍କ ନିକଟରୁ ଦୁଇଟି ଗୁଳିଭର୍ତ୍ତି ଦେଶୀବନ୍ଧୁକ ଜବତ କରାଯିବା ସହିତ ୧୦ଗ୍ରାମ ଲାଲବାରୁଦ, ୧୦୦ଗ୍ରାମ କଳାବାରୁଦ, ୩ଟି କାଣ୍ଡ, ୧୭ଟି ଶର, କାଚଗୁଲି ଆଦି ବିଭିନ୍ନ ପ୍ରକାରର ଶିକାରସାମଗ୍ରୀ ଜବତ କରିଛି। ଏନେଇ ବନବିଭାଗ ୧୩କେ-୨୫/୨୬ରେ କେସ ରୁଜ୍ଜୁକରି ଆଜି ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟଚାଲାଣ କରାଯିବାର ସୂଚନା ରହିଛି।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |