ଦିଗପହଣ୍ଡି,୩ା୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ଗ୍ରାମରେ ଗତ ନଭେମ୍ବର ୧୩ ତାରିଖ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଟୁନା ଚୌଧୁରୀଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ମାମଲା ନଂ.୪୧୭/୨୫ ଅନୁଯାୟୀ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ପି.
କ୍ରିଷ୍ଣା ରେଡ୍ଡୀ ଏବଂ ଅନ୍ୟ ସହଯୋଗୀମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ବୁଧବାର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣାଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ରାଜ କିଶୋର ପାତ୍ର ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣା ଦିନ ଗଜପତି ଜିଲା ଅନ୍ତରବା ହାଇସ୍କୁଲରେ କିରାଣି ଥିବା ଟୁନା ସନ୍ଧ୍ୟାରେ ଘରୁ ସାଇକେଲ ଯୋଗେ ଗାଁ ନିକଟ ରାସ୍ତାରେ ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କ୍ରିଷ୍ଣା ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଗାଁ ବଡ଼ବନ୍ଧ ନିକଟ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସେ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରି ସେମାନେ ଚାଲିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ କ୍ରିଷ୍ଣାଙ୍କ ବାପା ପି. ତ୍ରିନାଥ ରେଡ୍ଡୀ ଦୀର୍ଘବର୍ଷ ହେଲା ଅନ୍ୟ ଜଣେ ବ୍ୟକ୍ତିଙ୍କ ଜମି ବନ୍ଧକ ରଖି ଚାଷ କରୁଥିଲେ। ଉକ୍ତ ଜମିକୁ ସେ କ୍ରୟ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଟୁନା ତ୍ରିନାଥଙ୍କ ଅଜାଣତରେ ଉକ୍ତ ଜମିକୁ କ୍ରୟ କରିଥିଲେ। ଟୁନା କ୍ରୟ କରିବା ଜମିକୁ ଚଳିତବର୍ଷ ଚାଷ ପାଇଁ ଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ତ୍ରିନାଥଙ୍କ ପୁଅ କିଛି ସହଯୋଗୀଙ୍କ ସହାୟତାରେ ଟୁନାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |