ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରାତାଲ ପଞ୍ଚାୟତ ସାପୁଆଖତ ନିକଟରେ ଆଜି ଅପରାହ୍ଣରେ ଏକ ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ବସ୍ରେ ଥିବା ୧୬ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ରତ୍ନା ବିଷୋୟୀ(୪୫)। ସେହିପରି ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଆଙ୍କୁଶପୁର ସ୍ଥିତ ରୟାଲ୍ ଏନ୍ଫିଲ୍ଡ ସୋ’ ରୁମ୍ର ପ୍ରାୟ ୫୦ଜଣ କର୍ମଚାରୀ ୩ଟି ବସ୍ରେ ପାତ୍ରପୁର ବ୍ଲକ୍ ସୀମାନ୍ତ ବାରିହା ପଥରକୁ ପିକ୍ନିକ୍ କରିବାକୁ ଯାଇଥିଲେ। ସେଠାରେ ଭୋଜିଭାତ ସାରି ବସ୍ରେ ଫେରୁଥିଲେ। ବସ୍ଟି ବୁରାତାଲ ପଞ୍ଚାୟତ ସାପୁଆଖତ ରାସ୍ତା ଦେଇ ଆସୁଥିବା ବେଳେ ହଠାତ୍ ବ୍ରେକ୍ ଫେଲ୍ ହୋଇ ଏକ ଖାଲ ଭିତରକୁ ପଶି ଯାଇଥିଲା। ବସ୍ଟି ଓଲଟି ପଡ଼ିବାରୁ ସେଥିରେ ବସିଥିବା ଲୋକମାନେ ଆହତ ହୋଇଥିଲେ।
ଆହତଙ୍କୁ ଉଦ୍ଧାର କରି ତୁରନ୍ତ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରତ୍ନା ନାମକ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ହୋଇଥିବା ଅନ୍ୟ ୪ଜଣ ହେଲେ ମନୋଜ ସାହୁ, ହିଂମାଶୁ ସେଠୀ, ଜିତେନ୍ଦ୍ର ଦାସ, ଶିବ ପ୍ରସାଦ ପ୍ରଧାନ। ପ୍ରକାଶ ଥାଉ କି ରୟାଲ୍ ଏନ୍ଫିଲ୍ଡ ସୋ’ ରୁମ୍ର ମାଲିକଙ୍କ ଏକ ଘରୋଇ ସ୍କୁଲ ରହିଛି। ସେହି ସ୍କୁଲର ବସ୍ରେ କର୍ମଚାରୀମାନେ ପିକ୍ନିକ୍ ଯାଇଥିଲେ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |