ଚୀନ୍ ନିଜର ସାମରିକ ବାହିନୀକୁ ଭାରତ ନିକଟତର ଅଞ୍ଚଳରେ ମୁତୟନ କରିବାକୁ ଚେଷ୍ଟା କରୁଛି। ଭାରତ ନିକଟବର୍ତ୍ତୀ ଚାରି ପଡ଼ୋଶୀ ଦେଶରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପାଇଁ ଘାଟି ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ଚାରି ଦେଶ ହେଉଛି ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ମିଆଁମାର, ଯେଉଁଠାରେ ଅତିରିକ୍ତ ସାମରିକ ସୁବିଧା କିମ୍ବା ଲଜିଷ୍ଟିକ୍ସ ଘାଟି ନିର୍ମାଣ କରାଯିବ।
ଏହା ନୌସେନା, ସ୍ଥଳ ଏବଂ ବାୟୁସେନାର ଶକ୍ତି ବୃଦ୍ଧି କରିବ, ଦୂର ଦୂରାନ୍ତର ପର୍ଯ୍ୟନ୍ତ ସେନା ପହଞ୍ଚିବ ଏବଂ ସମୁଦ୍ର ପଥକୁ ସୁରକ୍ଷିତ କରିବ। ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ଏହାର ବାର୍ଷିକ ରିପୋର୍ଟରେ ଦାବି କରିଛି।
ଚୀନ୍ ଭାରତ ଚାରିପାଖରେ ସାମରିକ ଘାଟି ବିସ୍ତାର କରିବାକୁ ଚେଷ୍ଟା
ପେଣ୍ଟାଗନ୍ ରିପୋର୍ଟ ଅନୁଯାୟୀ, ଚୀନ୍ ପୂର୍ବରୁ ଜିବୁତିରେ ନିଜର ଏକମାତ୍ର ବିଦେଶୀ ସାମରିକ ଘାଟି ପରିଚାଳନା କରୁଛି ଏବଂ କାମ୍ବୋଡିଆରେ ରିମ୍ ନାଭାଲ ବେସ୍ରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି। ଏବେ ଭାରତର ପଡ଼ୋଶୀ ସମେତ ବିଶ୍ୱର ଏକାଧିକ ଦେଶରେ ଏପରି ଘାଟି ନିର୍ମାଣ କରିବାକୁ ଚୀନ୍ ଯୋଜନା କରୁଛି। ରିପୋର୍ଟରେ କୁହାଯାଇଛି ଯେ ଏହାଦ୍ବାରା ପିଏଲ୍ଏକୁ ଦୀର୍ଘ ଦୂରତାରେ ନୌସେନା, ବାୟୁ ଏବଂ ସ୍ଥଳ ସେନା ମୁତୟନ କରିବାରେ ସାହାଯ୍ୟ ମିଳିବ।
ଭାରତର ପଡ଼ୋଶୀ ଦେଶରେ କ‘ଣ ଘଟୁଛି?
ପାକିସ୍ତାନ:ଗ୍ୱାଦର ନୌସେନା ଘାଟି ଚୀନ୍ ସହିତ ମିଳିତ ଭାବରେ ନିର୍ମାଣ କରାଯାଉଛି। ଚୀନ୍ ପାକିସ୍ତାନକୁ ୩୫ଟି J-10C ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି କରିଛି। ଏଥିରେ ହଙ୍ଗୋର-କ୍ଲାସ୍ ବୁଡ଼ାଜାହାଜ, ଯୁଦ୍ଧଜାହାଜ ଏବଂ ଅନ୍ୟାନ୍ୟ ଜେଟ୍ ମଧ୍ୟ ରହିଛି, ଯେଉଁଥିରେ ୫ମ ପିଢ଼ିର FC-31 ଲଢ଼ୁଆ ଜେଟ୍ ଏବଂ J-10 ଲଢ଼ୁଆ ଜେଟ୍ ଅନ୍ତର୍ଭୁକ୍ତ। JF-17 ଲଢ଼ୁଆ ଜେଟ୍ର ମିଳିତ ନିର୍ମାଣ ମଧ୍ୟ ଚାଲିଛି।
ବାଂଲାଦେଶ:ଚୀନ୍ ଏଠାରେ ଏକ ସାମରିକ ଘାଟି ନିର୍ମାଣ କରିବାକୁ ବିଚାର କରୁଛି। ବାଂଲାଦେଶ J-10C ଲଢ଼ୁଆ ବିମାନ କ୍ରୟ କରିବାକୁ ଆଗ୍ରହୀ, ଯାହାକୁ ପାକିସ୍ତାନ ଭାରତର ରାଫେଲ୍ ବିରୁଦ୍ଧରେ ବ୍ୟବହାର କରିଥିଲା। ଚୀନ୍ ୨୦୨୪ ମସିହାରେ ବାଂଲାଦେଶକୁ VT-5 ହାଲୁକା ଟ୍ୟାଙ୍କ, ଦୁଇଟି ମିଙ୍ଗ୍-କ୍ଲାସ୍ ବୁଡ଼ାଜାହାଜ ଏବଂ ଦୁଇଟି ଯୁଦ୍ଧଜାହାଜ ଯୋଗାଇଛି। ଶେଖ୍ ହସିନାଙ୍କ ସମୟରୁ ଚୀନ୍ ସହିତ ସାମରିକ ସମ୍ପର୍କ ଦୃଢ଼ ରହିଛି ଏବଂ ୟୁନୁସ୍ ସରକାରଙ୍କ ଅଧୀନରେ ଜାରି ରହିଛି।
ଶ୍ରୀଲଙ୍କା ଏବଂ ମିଆଁମାର:ସାଧାରଣ ସାମରିକ ସୁବିଧା କିମ୍ବା ଲଜିଷ୍ଟିକ୍ ଘାଟି ନିର୍ମାଣ କରିବାର ଯୋଜନା ଅଛି, ଯାହା ପିଏଲଏର ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ।
ଚୀନ୍ କ‘ଣ ପାଇଁ ଚିନ୍ତିତ?
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଚୀନ୍ର ସବୁଠାରୁ ବଡ଼ ଚିନ୍ତା ହେଉଛି ମଲକ୍କା ଷ୍ଟେ୍ରଟ୍ , ଯେଉଁଠାରେ ଆମେରିକା ଏବଂ ଭାରତୀୟ ନୌସେନା ଦ୍ୱାରା ଘେରାବନ୍ଦୀର ଆଶଙ୍କା ରହିଛି। ଚୀନକୁ ମଧ୍ୟ ହର୍ମୁଜ୍ ଷ୍ଟେ୍ରଟ୍ ଓ ଆଫ୍ରିକା-ମଧ୍ୟ ପୂର୍ବ ସମୁଦ୍ର ପଥଗୁଡ଼ିକର ସୁରକ୍ଷା ବିଷୟରେ ଚିନ୍ତିତ। ଆଙ୍ଗୋଲା, କ୍ୟୁବା, ଗିନି, ଇଣ୍ଡୋନେସିଆ, କେନିଆ, ମୋଜାମ୍ବିକ, ନାମିବିଆ, ନାଇଜେରିଆ, ପାପୁଆ ନ୍ୟୁ ଗିନି, ସେଚେଲ୍ସ, ସୋଲୋମନ ଦ୍ୱୀପପୁଞ୍ଜ, ତାଜିକିସ୍ତାନ, ଥାଇଲ୍ୟାଣ୍ଡ, ୟୁଏଇ ଏବଂ ଭାନୁଆଟୁ ଭଳି ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବା ପାଇଁ ଆଲୋଚନା ଚାଲିଛି।
ଚୀନ୍ ର କାର୍ଯ୍ୟ ଭାରତକୁ କିପରି ପ୍ରଭାବିତ କରିବ?
ପେଣ୍ଟାଗନ୍ କହିଛି ,ପାକିସ୍ତାନ ସହିତ ସାମରିକ ସମ୍ପର୍କକୁ ସୁଦୃଢ଼ କରି ଚୀନ୍ ଭାରତ-ଆମେରିକା ବନ୍ଧୁତାକୁ କାଉଣ୍ଟ କରୁଛି। ଯଦିଓ ମୋଦି-ସି ଜିନପିଙ୍ଗଙ୍କ ବୈଠକ ପରେ ଏଲଏସିରେ ଉତ୍ତେଜନା ହ୍ରାସ କରିବା ଏବଂ ଭିସା ସେବା ପୁନଃ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯାଇଛି, କିନ୍ତୁ ଚୀନ୍ ଅରୁଣାଚଳ ପ୍ରଦେଶକୁ ତା’ର ‘କୋର ଇଷ୍ଟେଟ୍’ରେ ସାମିଲ କରୁଛି। ଏହି ରିପୋର୍ଟ ପ୍ରକାଶ କରିଛି ଯେ ଆମେରିକା ନିରନ୍ତର ଚୀନ୍ର ବର୍ଦ୍ଧିତ ସାମରିକ ଶକ୍ତି ଏବଂ ବିଶ୍ୱସ୍ତରୀୟ କ୍ଷମତା ଉପରେ ନଜର ରଖିଛି। ଚୀନ୍ ଏପର୍ଯ୍ୟନ୍ତ ରିପୋର୍ଟର ସିଧାସଳଖ ପ୍ରତିକ୍ରିୟା ଦେଇନାହିଁ। ବିଶେଷଜ୍ଞଙ୍କ ମତରେ ଏହା ଚୀନ୍ର ‘ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲ୍ସ’ ରଣନୀତିର ଏକ ଅଂଶ, ଭାରତ ଚାରିପାଖରେ ଘେରାବନ୍ଦୀ ସୃଷ୍ଟି କରିବାର ଏକ ଚେଷ୍ଟା।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |