ନୂଆଦିଲ୍ଲୀ : ମଙ୍ଗଳବାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ସ୍ପଷ୍ଟ କରିଛି ଯେ କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ନିଲମ୍ବନ, ବହିଷ୍କାର କିମ୍ବା ସ୍ଥାୟୀଭାବେ ଜେଏନୟୁରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ ବୋଲି ବିଶ୍ବବିଦ୍ୟାଳୟ ସ୍ପଷ୍ଟ କରିଛି ।ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରି ଜେଏନୟୁ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହି ମାମଲାରେ ପୁଲିସରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ଏହି କାର୍ଯ୍ୟରେ ଲିପ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେଏନୟୁ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ଗୁଡ଼ିକ ନୂଆ ଚିନ୍ତାଧାରା ଓ ନବସୃଜନର କେନ୍ଦ୍ର ଅଟନ୍ତି, ଘୃଣାର ପରୀକ୍ଷାଗାର ନୁହନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବାକ୍ ସ୍ବାଧୀନତା ଏକ ମୌଳିକ ଅଧିକାରୀ ହୋଇଥିଲେ ବି ହିଂସା, ବେଆଇନ କାର୍ଯ୍ୟକଳାପ ଓ ଦେଶବିରୋଧୀ କାର୍ଯ୍ୟକୁ ଆଦୌ ସହନ କରାଯିବ ନାହିଁ ।ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଦ୍ବାରା ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ନ ଦିଆଯିବାକୁ ନେଇ ବିଶ୍ବବିଦ୍ୟାଳର ଏକ ଛାତ୍ରଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ ।
ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି । ଏହା ସହିତ ତଦନ୍ତ ବେଳେ ପୁଲିସ ସହ ଆବଶ୍ୟକ ସହଯୋଗ କରିବାକୁ ବିଶ୍ବବିଦ୍ୟାଳୟର ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି ।

More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |