କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ ସରପଞ୍ଚ ଶାଗୁ ମାଝୀଙ୍କର ପରଲୋକ ଘଟିଛି । ଗତ ଶନିବାର ଅପରାହ୍ନରେ ଏକ କାର୍ ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ସେ ଗୁରୁତର ହୋଇଥିଲେ ।
ଆଜି ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତ ଶନିବାର ଥୁଆମୂଳ ଗ୍ରାମର ମହେନ୍ଦ୍ର ପ୍ରଧାନୀ ଓ ଶାଗୁ ମାଝୀ କାଣିଗୁମା ହାଟରୁ ବଜାର ସାରି ବାଇକ୍ (OD08L0420) ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ (OD02AG8844) ସହ ସେମାନଙ୍କର ଧକ୍କା ହୋଇଥିଲା। ଶାଗୁ ମାଝୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ରାୟପୁରର ଏକ ଘରୋଇ ମେଡିକାଲରେ ଆଇସିୟୁରେ ରଖାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଥୁଆମୂଳ ରାମପୁର ଥାନାରେ କେସ୍ ନଂ ୧୧/୨୫ ରେ ଏକ ମାମଲା ରୁଜୁ କରାଯାଇଛି।
ଏହି ଦୁର୍ଘଟଣା ପାଇଁ ଗୁଣୁପୁର-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟର ମନ୍ଥର ଗତି ଓ ଅବହେଳାକୁ ଦାୟୀ କରାଯାଇଛି । ରାସ୍ତାରେ ଧୂଳି ଓ ଚିପ୍ସ ବିଛାଡ଼ି ହୋଇ ପଡ଼ିଥିଲେ ହେଁ ନିୟମିତ ପାଣି ସିଞ୍ଚନ କରାଯାଉ ନଥିବାରୁ ଦୃଶ୍ୟମାନ ଦୂରତା କମି ଯାଉଛି । ଏନେଇ ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ କହିଛନ୍ତି ଯେ, ରାସ୍ତା ନିର୍ମାଣାଧୀନ ଥିବା ବେଳେ ସୁରକ୍ଷା ନିୟମକୁ ଗୁରୁତ୍ୱ ଦିଆଯାଉ ନାହିଁ। ଶାଗୁ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି । ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “