February 4, 2026

Now Odisha

Now Odisha

ଚାଷୀ ସମସ୍ୟା, ପିୟୁସିସି, ସ୍ମାର୍ଟ ମିଟରକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ |

Spread the love

କାଲି ଓଡ଼ିଶା ବନ୍ଦ। ସକାଳ ୬ଟାରୁ
ଅପରାହ୍ନ ୨ଟା- ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି
ନବ ନିର୍ମାଣ କୃଷକ ସଙ୍ଗଠନ। ଏହାକୁ ନୈତିକ
ସମର୍ଥନ କରିଛି କଂଗ୍ରେସ। ବିଜେଡି ସିଧାସଳଖ
ଏହାକୁ ସମର୍ଥନ କରିବାକୁ ଘୋଷଣା କରି
ନଥିଲେ ହେଁ ସ୍ୱାଗତ କରିବା ସହିତ ସାଧୁବାଦ
ଜଣାଇଛି। ମଣ୍ଡି ଓ ଟୋକନ ଅବ୍ୟବସ୍ଥା,
ଏଫଏକ୍ୟୁ ନାଁରେ ଅଯଥା କଟ୍‌ନୀ ଛଟ୍‌ନୀ,
ପିୟୁସିସି ନାଁରେ ସାଧାରଣ ଲୋକଙ୍କୁ ଶୋଷଣ
ଏବଂ ସ୍ମାର୍ଟ ମିଟର ନାଁରେ ଟାଟା ପାୱାରର ଦମନ
ଅଭିଯୋଗ ଆଣି ଏହି ବନ୍ଦ ଡାକରା ଦେଇଛି
ନବ ନିର୍ମାଣ କୃଷକ ସଙ୍ଗଠନ। ଅଖଚକ ବନ୍ଦ
ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିବା
ବେଳେ ରେଳ ସେବାକୁ ଏଥିରୁ ବାଦ୍‌
ଦିଆଯାଇଛି। ସେହିପରି ହସ୍ପିଟାଲ୍ ଓ ଅନ୍ୟାନ୍ୟ
ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ କରିଛି
ସଂଗଠନ। ନବ ନିର୍ମାଣ କୃଷକ ସଂଗଠନର
ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,
ମଣ୍ଡିରେ ଚାଷୀଙ୍କର ହଜାର ହଜାର କ୍ୱିଣ୍ଟାଲ ଧାନ
ପଡ଼ି ରହିଛି। ମଣ୍ଡି ଚାଲୁ ନାହିଁ। ଚାଷୀଙ୍କୁ ଟୋକନ
ମିଳୁ ନାହିଁ। ଯଦି ଟୋକନ ମିଳୁଛି, ତା’ହେଲେ
ଅଧା ମିଳୁଛି ଅଧା ମିଳୁନି। ୪୦ କ୍ୱିଣ୍ଟାଲ ଜାଗାରେ
୧୦ କ୍ୱିଣ୍ଟାଲ ପାଇଁ ଟୋକନ ମିଳୁଛି। ଏଫଏକ୍ୟୁ
ନାଁରେ ହାରାହାରି ୫/୧୦/୧୨ କେଜି କଟନୀ
ଛଟନୀ ଚଲେଇଛନ୍ତି। ପ୍ରଦ୍ୟୁଷଣ ନାଁରେ ସରକାର
କମ୍ପାନୀମାନଙ୍କଠାରୁ ୪୨ ହଜାର କୋଟି ଟଙ୍କା
ଆଦାୟ କରି ପାରୁ ନାହାନ୍ତି, କିନ୍ତୁ ସାଧାରଣ
ଲୋକଙ୍କଠାରୁ କିଭଳି ୧୦ ହଜାର/୫୦ ହଜାର
ଆଦାୟ କରାଯିବ, ସେ ଯୋଜନା କରୁଛନ୍ତି।
ସେହିଭଳି ସ୍ମାଟ ମିଟର ନାଁରେ ଟାଟା ପାୱାର
ଯେଉଁ ଦମନ ଚଲାଇଛି, ତାହା ବନ୍ଦ କରିବାକୁ
ଆମେ ଦାବି କରୁଛୁ। ଏହି ବନ୍ଦ ଡାକରାକୁ ବିଫଳ
କରିବା ପାଇଁ ସରକାର ଷଡ଼ଯନ୍ତ୍ର କରିଥିବା
ଅଭିଯୋଗ କରିଛନ୍ତି ଅକ୍ଷୟ କୁମାର। ସେ
କହିଛନ୍ତି ଯେ ଆଜି ସକାଳେ ତାଙ୍କ ସଂଗଠନର
ପିଲାଙ୍କ ଗାଡ଼ି ନେଇ ଫାଇନ୍ ପକାଯାଇଛି। ଘରୁ
ଗାଡ଼ି ଉଠାଇ ନିଆଯାଇଛି। ଏମିତି କେଉଁଠି
ହୋଇନି। ଏହି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ।
ଆମ ପ୍ରତି ସମର୍ଥନ ବଢ଼ି ଚାଲିଛି। ଓଡ଼ିଶା ପ୍ରଦେଶ
କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ସମର୍ଥନ
ଘୋଷଣା କରିଛନ୍ତି। ସିପିଆଇ ଓ ସିପିଏମ୍‌
ସମର୍ଥନ କରିଛନ୍ତି। ବିଭିନ୍ନ ସାମାଜିକ ସଂଗଠନ
ସମର୍ଥନ କରିଛନ୍ତି। ଏ ଆନ୍ଦୋଳନକୁ ଯେତେ
ଦବାଇବା ପାଇଁ ପ୍ରୟାସ କଲେ ବି ସରକାର
ବିଫଳ ହେବେ। ହିଂସାକାଣ୍ଡ ନ କରି ଅହିଂସା
ଉପାୟରେ ଲୋକେ ଏହି ବନ୍ଦ ଡାକରାକୁ
ସମର୍ଥନ କରିବେ ବୋଲି ସେ କହିଛନ୍ତି। ନବ
ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ
କଂଗ୍ରେସ ନୈତିକ ସମର୍ଥନ ଓ ବିଜେଡି ସ୍ୱାଗତ
କରିଥିବା ବେଳେ ବିଜେପି କହିଛି ଯେ ଏହା
ନକଲି ଚାଷୀଙ୍କ ଆନ୍ଦୋଳନ। ଶକ୍ତି ନଥିବାରୁ
ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ।
ବନ୍ଦର କିଛି ପ୍ରଭାବ ପଡ଼ିବ ନାହିଁ।

error: Content is protected !!