March 22, 2026

Now Odisha

Now Odisha

ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

Spread the love

ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ବିନା ଡାଏଲଗ୍‌ରେ ଏମିତି ଏକ ଫିଲ୍ମ ନିର୍ମାଣ କରିଛନ୍ତି, ଯାହା ଚର୍ଚ୍ଚାର ପରିସରକୁ ଆସିଛି। ଏହି ଫିଲ୍ମରେ ଗୋଟିଏ ହେଲେ ଡାଏଲଗ ନାହିଁ, ତଥାପି ଏହା ଦର୍ଶକଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପରଦା ସାମ୍ନାରେ ବାନ୍ଧି ରଖିବାରେ ସଫଳ ହୋଇଛି।’ଗାନ୍ଧୀ କଥା କହେ’ (‘ଗାନ୍ଧୀ ଟକ୍‌ସ’ର ଓଡ଼ିଆ ଅର୍ଥ) ଶୀର୍ଷକ ସହ ଏହି ଚଳଚ୍ଚିତ୍ରଟି ଏକ ନିର୍ବାକ୍‌ ଚଳଚ୍ଚିତ୍ର ହେବା ଏକ ବିଡ଼ମ୍ବିତ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରେ।ଗାନ୍ଧୀ'(ବା ଟଙ୍କା) ହାସଲ କରିବା ଦୌଡ଼ରେ ଆମେ ସମସ୍ତେ ଗାନ୍ଧୀ ନୀତିରୁ କିପରି ଦୂରେଇ ଯାଉଛନ୍ତି ତାହା ଏହି କାହାଣୀରେ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ ହୋଇଛି। ଏହାର ନିଆରା କାହାଣୀ ଏବଂ ଶକ୍ତିଶାଳୀ ଅଭିନୟ ପାଇଁ ଏହା ଓସ୍କାର ପାଇବାକୁ ଯୋଗ୍ୟ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

ସାଉଥ ସୁପରଷ୍ଟାର୍‌ ବିଜୟ ସେତୁପତି, ଅଦିତି ରାଓ ହାଇଦରି ଏବଂ ଅରବିନ୍ଦ ସ୍ବାମୀଙ୍କ ଭଳି ଦକ୍ଷ କଳାକାରମାନେ କେବଳ ନିଜର ଆଖି ଏବଂ ଅଭିବ୍ୟକ୍ତି ମାଧ୍ୟମରେ ସମ୍ପୂର୍ଣ୍ଣ କାହାଣୀ ବୟାନ କରିଛନ୍ତି। ମୁମ୍ବାଇ ଭଳି ଏକ କୋଳାହଳପୂର୍ଣ୍ଣ ସହର ପୃଷ୍ଠଭୂମିରେ ଏହି ନିଶବ୍ଦ କାହାଣୀ ଗତିଶୀଳ ହୋଇଛି। ଏଠାରେ ‘ଗାନ୍ଧୀ’ ମାନେ କେବଳ ଆଦର୍ଶ ନୁହଁନ୍ତି, ବରଂ ନୋଟ ଉପରେ ଥିବା ଗାନ୍ଧୀ ବା ‘ଟଙ୍କା’ କିପରି ମଣିଷର ନୈତିକତା ଏବଂ ଜୀବନକୁ ପ୍ରଭାବିତ କରେ, ତାହା ଅତି ଚମତ୍କାର ଭାବେ ଦର୍ଶାଯାଇଛି।

ମୁମ୍ବାଇରେ ମାଆ ସହିତ ରହୁଥିବା ବେରୋଜଗାର ମହାଦେବ(ବିଜୟ ସେତୁପତି) ନିଜର ପ୍ରେମିକା(ଆଦିତି ରାଓ ହୈଦରୀ)କୁ ପାଇବାକୁ ହେଲେ ଚାକିରିଟିଏ ଖୋଜିବାକୁ ପଡ଼ିବ। କିନ୍ତୁ ଚାକିରି ପାଇଁ ସରକାରୀ ଅଧିକାରୀ ‘୫୦,୦୦୦ ଗାନ୍ଧୀ’ ଦାବି କରୁଛି। ସେ ଦେଖୁଛି ଜଣେ ପକେଟମାର (ସିଦ୍ଧାର୍ଥ ଯାଦବ) କିପରି ଚୋରି କରି ଆରାମରେ ଜୀବନ କାଟୁଛି। ଏହି ପ୍ରକ୍ରିୟାରେ ମହାଦେବର ନୈତିକତା ଧୀରେଧୀରେ ଉଭେଇଯାଉଛି ଏବଂ ସେ ଲାଞ୍ଚ ଯୋଗାଡ଼ କରିବାକୁ ଚୋରି କରିବାର ଯୋଜନା କରୁଛି। ଯାହା ଘରୁ ସେ ଚୋରି କରିବାକୁ ଚାହୁଁଛି ସେ ହେଉଛି ଜଣେ ବଡ଼ ବ୍ୟବସାୟୀ ବସ୍‌ମ୍ୟାନ୍‌(ଅରବିନ୍ଦ ସ୍ବାମୀ)। ବିଳାସପୂର୍ଣ୍ଣ ଜୀବନ କାଟୁଥିବା ବସ୍‌ମ୍ୟାନ୍‌ ବିମାନ ଦୁର୍ଘଟଣାରେ ନିଜ ପତ୍ନୀ ଓ ଝିଅଙ୍କୁ ହରାଇବା ପରେ ତା’ ମାଆ ମଧ୍ୟ ଆରପାରିକୁ ଚାଲିଯାଉଛନ୍ତି। ଜଣେ ମନ୍ତ୍ରୀଙ୍କ ଚକ୍ରାନ୍ତ ଯୋଗୁଁ ତା’ ବ୍ୟବସାୟ ମଧ୍ୟ ହାତରୁ ଚାଲିଯାଉଛି। ଏବେ ସେ ସର୍ବସ୍ବ ହରାଇବା ପୂର୍ବରୁ ଶେଷ କୌଶଳ ଆପଣାଇ ପରିସ୍ଥିତିରୁ ମୁକୁଳିବାକୁ ଉଦ୍ୟମ କରୁଛି। ଏହି ସମୟରେ ମହାଦେବ ଓ ଚୋର ତା’ ଘରେ ପ୍ରବେଶ କରୁଛନ୍ତି। କେତେବେଳେ ମଜାଳିଆ ତ କେତେବେଳେ କରୁଣ ଦୃଶ୍ୟ ସହିତ କାହାଣୀଟି ଅଗ୍ରସର ହୋଇଛି।

ସମଗ୍ର ଚଳଚ୍ଚିତ୍ରରେ ଶବ୍ଦଟିଏ ବି ଉଚ୍ଚାରଣ ହୋଇ ନଥିବାରୁ ଏଥିରେ ବିଭିନ୍ନ ପ୍ରାନ୍ତର ଅଭିନେତାମାନଙ୍କୁ ସହଜରେ ଏକାଠି କରାଯାଇପାରିଛି, ଠିକ୍ ଯେମିତି ଅବିସ୍ମରଣୀୟ ନିର୍ବାକ୍‌ ଚଳଚ୍ଚିତ୍ର ‘ପୁଷ୍ପକ ବିମାନ'(୧୯୮୭)ରେ ନିର୍ଦେଶକ ସିଙ୍ଗୀତମ ଶ୍ରୀନିବାଶ ରାଓ କରିଥିଲେ। ‘ଗାନ୍ଧୀ ଟକ୍‌ସ’ର କାହାଣୀରେ ‘ପୁଷ୍ପକ ବିମାନ’ର ପ୍ରେରଣା ସ୍ପଷ୍ଟ ବାରିହୋଇପଡ଼େ।

ଫିଲ୍ମର କାହାଣୀ ନୂଆ ନୁହେଁ, କିନ୍ତୁ ଏହାକୁ ଯେଉଁ ଭାବରେ ଉପସ୍ଥାପନ କରାଯାଇଛି ତାହା ଅନନ୍ୟ। ପୂର୍ବରୁ ମରାଠୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିବା କିଶୋର ପ୍ରତ୍ୟେକ ଦୃଶ୍ୟରେ ନିଜର କମାଣ୍ଡିଂ ବଜାୟ ରଖିଛନ୍ତି।

error: Content is protected !!