କୁନି ବୈଜ୍ଞାନିକ


ଏରସମା:(ରଞ୍ଜିତ):- ଅର୍ନ୍ନଦାତାଙ୍କ ସୁରକ୍ଷା ଚିନ୍ତାରେ କୁନି ବୈଜ୍ଞାନିକ।ଏପରି ନିଆରା ପ୍ରୟାସ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ।ପ୍ରତିବର୍ଷ ପରି ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ନୂଆ ନୂଆ ଆବିଷ୍କାରକୁ ନେଇ ଆୟୋଜିତ ହୋଇଆସୁଛି ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ।ଏରସମା ବ୍ଲକର ପଲ୍ଲିକଣ୍ଟା ପଞ୍ଚାୟତ ମନ୍ଦିରା ହାଡିବନ୍ଧୁ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା।ଏରସମା ବ୍ଲକ ଶିକ୍ଷାଧିକାରୀ ଭାବଗ୍ରାହୀ ଭୋଳଙ୍କ ସଭାପତିତ୍ୱ ଆୟୋଜିତ ବିଜ୍ଞାନ ମେଳାକୁ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ।ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ,ଜିଲ୍ଲାପରିଷଦ ପୀତବାସ ଗଛାୟତଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କ ନୂଆନୂଆ ଆବିଷ୍କାର ତଥା ଷ୍ଟଲ ବୁଲି ଦେଖିବା ସହ ଉଚ୍ଚପ୍ରଶଂସା କରିଥିଲେ।ଏହି ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ନିମ୍ନମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟରୁ ୭୦ରୁ ଉର୍ଦ୍ଧ ଷ୍ଟଲ ଦେଖିବାକୁ ମିଳିଥିଲା।ବିଜ୍ଞାନ ମେଳାର ଆୟୋଜନକୁ ନେଇ ଆୟୋଜକ ମାନେ ଅନେକ ଆଶାବାଦୀ ଥିବା ପ୍ରକାଶ କରିଥିବା ବେଳେ ଏହା ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବ ବୋଲି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ କରିଛନ୍ତି।ଏରସମା ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ କୁନିକୁନି ବୈଜ୍ଞାନିକ ମାନଙ୍କ ପକ୍ଷରୁ ୭୦ରୁ ଉର୍ଦ୍ଧ ପ୍ରକଳ୍ପ ସ୍ଥାନ ପାଇଥିଲା।ସ୍ୱାସ୍ଥ୍ୟ ଓ ପରିଛନ୍ନତା,ପରିବେଶ,ଗଣିତ, ଆଧୁନିକ ଜ୍ଞାନ କୌଶଳ ସହ କୃଷି ସମ୍ପର୍କିତ ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା।ବିଜ୍ଞାନ ମେଳାରୁ ବିଚାରକ ମାନଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରକଳ୍ପକ ଗୁଡିକୁ ଚିହ୍ନଟ କରି ଜିଲ୍ଲାସ୍ତର ପାଇଁ ମନୋନୀତ କରାଯିବା ସହ କୁନି ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ବିଜ୍ଞାନ ମେଳାରେ କୃଷକ ତଥା ଦେଶର ଅର୍ଣ୍ଣଦାତା ମାନଙ୍କ ସୁରକ୍ଷା ଓ କୃଷିର ଉନ୍ନତି ପାଇଁ କୁନି ବୈଜ୍ଞାନିକମାନଙ୍କ ପ୍ରୟାସ ସବୁଠୁ ଆକର୍ଷଣୀୟ ହୋଇଥିଲା।କୃଷି ଓ କୃଷକଙ୍କ ସମ୍ପର୍କରେ କୁନି ବୈଜ୍ଞାନିକମାନେ ଗଭୀର ଚିନ୍ତା କରୁଥିବା ବେଳେ କୁନି ବୈଜ୍ଞାନିକମାନଙ୍କ ଉନ୍ନତି କାମନା କରିଥିଲେ ଉଦଘାଟକ।ବ୍ଲକସ୍ତରୀୟ ବିଜ୍ଞାନ ମେଳା ପିଲାମାନଙ୍କ ବୈଜ୍ଞାନିକ ଚିନ୍ତା ଚେତନାକୁ ଜାଗ୍ରତ କରୁଥିବା ବେଳେ ନୂଆନୂଆ ପ୍ରତିଭା ଆଗକୁ ଆସି ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଆଶା କରିବା।


error: Content is protected !!