ଥିଲେ ପୁଅ ହେଲେ ଝିଅ । ସମୀର ଭାଇରୁ ହେଲେ ସମୀରା ମାଡମ୍ । ଜନ୍ମରୁ ସମୀରା ପୁଅ ଥିବା ବେଳେ ତାଙ୍କ ମଧ୍ୟରେ ଭରପୁର ହୋଇ ରହିଥିଲା ଜଣେ ଝିଅର ଗୁଣ । ଅନେକ ବର୍ଷ ଧରି ତାକୁ ଚାପି ରଖିବା ପରେ ଶେଷରେ ବ୍ୟୟବହୁଳ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଆଉ ପୁଅରୁ ହୋଇଯାଇଛନ୍ତି ଝିଅ । ତେବେ କିଭଳି ଥିଲା ସମୀର ଭାଇରୁ ସମୀରା ମାଡମ୍ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଚାଲନ୍ତୁ ଜାଣିବା ।
ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ସମୀରା ନାୟକଙ୍କ କଥା । ଯିଏକି ବର୍ତ୍ତମାନ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଛନ୍ତି । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସମୀର ନାୟକ । ସମୀର ଜଣେ ପୁଅ ହୋଇ ଜନ୍ମ ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାରୀର ଗୁଣ ଅଧିକ ରହିଥିଲା । ବୟସ ବଢ଼ିବା ସହ ତାଙ୍କ ଚାଲିଚଳଣ ଓ ମନରେ ଭିନ୍ନତା ଦେଖିବାକୁ ମିଳିଥିଲା । ସେ ପୁଅରୁ ଝିଅ ହେବାକୁ ଚାହୁଁଥିଲେ । ଖଲ୍ଲିକୋଟରେ ଦଶମ ଶ୍ରେଣୀ ପାସ୍ କରିବା ପରେ ଆର.ସି.ଏମ କଲେଜରେ ଯୁକ୍ତ ଦୁଇ ପାସ୍ କରିଥିଲେ । ଏହାପରେ ଖଲ୍ଲିକୋଟରେ ଥିବା ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ଦୀର୍ଘ ଚାରି ବର୍ଷ ଧରି ଚିତ୍ରକଳା ପାଠ ପଢ଼ିଥିଲେ ସମୀର । ଏହି ସମୟରେ ତାଙ୍କ ମଧ୍ୟରେ ରହିଥିବା ଝିଅ ଗୁଣ ସାମ୍ନାକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଗ୍ରାଜୁଏସନ ସମୟରେ ହିଁ ନିଜକୁ ଜଣେ ଝିଅ ଭାବେ ପରିଚିତ କରାଇବା ପାଇଁ ପରିବାର ଲୋକଙ୍କ ସହ କଥା ହୋଇଥିଲେ । କିନ୍ତୁ ପରିବାର ଲୋକେ ସମାଜର ଟାହି ଟାପରାକୁ ଡରି ତାଙ୍କର ଏଭଳି ପଦକ୍ଷେପକୁ ନେଇ ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଏହାପରେ ସେ ସବୁ ଘାତ ପ୍ରତିଘାତକୁ ଆଡେଇ, ୨୦୨୪ ମସିହାରେ ନିଜର ହରମୋନ୍ ଥେରାପି ସହ ଲିଙ୍ଗ ପରିବର୍ତ୍ତନ ପାଇଁ ଓଡ଼ିଶା ବାହାରକୁ ଯାଇଥିଲେ । ତାହା ସଫଳ ହେବା ପରେ ୨୦୨୫ ନଭେମ୍ବର ମାସରେ ଅସ୍ତ୍ରୋପଚାର କରି ଖଲ୍ଲିକୋଟ ଫେରିଛନ୍ତି ସମୀରା । ଗତ ୬ ମାସ ହେବ ନିଜେ ପାଠ ପଢିଥିବା ମହାବିଦ୍ୟାଳୟ ତଥା ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ସୁଦ୍ଧା ନିଜର ଅଧ୍ୟୟନ କାର୍ଯ୍ୟ ଜାରି ରଖିଛନ୍ତି ସେ । ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବା ପରେ ବେଶ ଖୁସି ଲାଗୁଥିବା କହିଛନ୍ତି ।
ସେପଟେ ସମୀରାଙ୍କର ପିଲାଟି ଦିନରୁ ଚିତ୍ରକଳା ପ୍ରତି ରୁଚି ରହିଥିବା ବେଳେ ଦୀର୍ଘ ଚାରି ବର୍ଷ ଧରି ଚିତ୍ରକଳା ପାଠ ପଢ଼ି ଗ୍ରାଜୁଏଟ ହୋଇଛନ୍ତି । ନିଜ ପାଠ ପଢ଼ା ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କୁ ସମୀର ଭାଇ ବୋଲି ଡାକୁଥିଲେ । କିନ୍ତୁ ବର୍ତ୍ତମାନ ସମୀର ଭାଇ ସମୀରା ମ୍ୟାଡମ୍ ହୋଇ ଯାଇଛନ୍ତି । ପାଠ ପଢ଼ିବା ସମୟରେ ଯଦିଓ ସମୀର ଭାଇ ଜଣେ ପୁଅ ହୋଇ ପ୍ୟାଣ୍ଟସାର୍ଟ ପିନ୍ଧୁଥିଲେ କିନ୍ତୁ ତାଙ୍କର ଆଚରଣ ଉଚ୍ଚାରଣ ଠାରୁ ଆରମ୍ଭ କରି କଥାବାର୍ତ୍ତା ମଧ୍ୟ ଜଣେ ଝିଅର ଥିଲା। ପୂର୍ବରୁ କେବଳ ସମୀରାଙ୍କ ମନ ଝିଅ ଥିବା ବେଳେ ବର୍ତ୍ତମାନ ସେ ଅସ୍ତ୍ରୋପଚାର କରି ସମ୍ପୂର୍ଣ୍ଣ ଝିଅ ହୋଇ ଯାଇଛନ୍ତି । ତାଙ୍କର ଏଭଳି ପରିବର୍ତ୍ତନକୁ ନେଇ ଖୁସି ପ୍ରକାଶ କରିଛନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ସେପଟେ ସମୀରା ନିଜକୁ ପରିବର୍ତ୍ତନ କରାଇଥିବା ବେଳେ ତାଙ୍କ ମଧ୍ୟରେ କଳାକୁ ନେଇ ପ୍ରଚଣ୍ଡ ଜ୍ଞାନ ରହିଛି । ତାଙ୍କର ପାଠପଢ଼ା ଶୈଳୀ ଅତ୍ୟନ୍ତ ଉନ୍ନତମାନର ହୋଇଥିବା ବେଳେ ତାଙ୍କୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରୁଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟାପକ । ସମୀରା ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଚିତ୍ର ଶିଳ୍ୱୀ ହୋଇଥିବା ବେଳେ ସେ ଚିତ୍ର କଳା କ୍ଷେତ୍ରରେ ବହୁତ କିଛି କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି ।

More Stories
ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଆସନ୍ତା ୧୨ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଘୋଷଣା କରିଛି।
:ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି