February 17, 2026

Now Odisha

Now Odisha

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା |

Spread the love

ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ଜାନୁଆରୀ ସୁଦ୍ଧା ବଜାରରେ ନଗଦ ଅର୍ଥର ପରିମାଣ ୪୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଯାହା ଗତ ବର୍ଷ ଜାନୁଆରୀ ତୁଳନାରେ ୧୧ ପ୍ରତିଶତ ଅଧିକ।କାହିଁକି ବଢ଼ୁଛି ନଗଦ ଟଙ୍କାର ଚାହିଦା?
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଏହି ବୃଦ୍ଧି ପଛରେ କେତେକ ପ୍ରମୁଖ କାରଣ ରହିଛି।

GST ନୋଟିସ୍: UPI କାରବାର ଆଧାରରେ ପ୍ରାୟ ୧୮,୦୦୦ କ୍ଷୁଦ୍ର ବ୍ୟବସାୟୀଙ୍କୁ GST ନୋଟିସ୍ ପଠାଯାଇଛି। ଏହି କାରଣରୁ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା ଏବଂ କେରଳ ଭଳି ରାଜ୍ୟରେ ଲୋକେ UPI ବଦଳରେ ATM ରୁ ଅଧିକ ନଗଦ ଟଙ୍କା ଉଠାଉଥିବା ଦେଖାଯାଇଛି।

ସୁନା-ରୂପା ବିକ୍ରି: ବଜାରରେ ସୁନା ଓ ରୂପାର ମୂଲ୍ୟ ବଢ଼ୁଥିବାରୁ ଅନେକ ପରିବାର ନିଜ ପାଖରେ ଥିବା ଅଳଙ୍କାର ବିକ୍ରି କରି ନଗଦ ଅର୍ଥ ରଖୁଛନ୍ତି।

କମ୍ ସୁଧ ହାର ଓ ରିହାତି: ବ୍ୟାଙ୍କ ସୁଧ ହାର କମିବା ଏବଂ ଆୟକର ତଥା GST ରେ ରିହାତି ଯୋଗୁଁ ଲୋକଙ୍କ ବ୍ୟୟ କରିବା କ୍ଷମତା ବଢ଼ିଛି, ଯାହା ଫଳରେ ବଜାରରେ ନଗଦ ଟଙ୍କାର ଚାହିଦା ବୃଦ୍ଧି ପାଇଛି।

୨୦୧୬ ନୋଟ୍‌ବନ୍ଦୀ ସମୟରେ ସରକାରଙ୍କ ଅନ୍ୟତମ ଲକ୍ଷ୍ୟ ଥିଲା ବଜାରରେ ନଗଦ ଟଙ୍କାର ପ୍ରଚଳନ କମାଇ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା। ଆଶ୍ଚର୍ଯ୍ୟଜନକ ଭାବେ, ଜାନୁଆରୀରେ UPI କାରବାର ୨୮.୩୩ ଲକ୍ଷ କୋଟି ଟଙ୍କାର ରେକର୍ଡ ଛୁଇଁଥିଲେ ସୁଦ୍ଧା ନଗଦ ଟଙ୍କାର ବ୍ୟବହାର କମିନାହିଁ। ତେବେ ଆଶ୍ୱସ୍ତିର କଥା ଯେ, ‘କ୍ୟାଶ-ଟୁ-ଜିଡିପି’ ଅନୁପାତ ୨୦୨୧ର ୧୪.୪% ରୁ ହ୍ରାସ ପାଇ ୨୦୨୬ ଆର୍ଥିକ ବର୍ଷରେ ୧୧% କୁ ଖସିଛି।

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ ବଜାରରେ ଏବେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ପ୍ରାଧାନ୍ୟ ବଢ଼ିଛି। ଜନସାଧାରଣଙ୍କ ସୁବିଧା ପାଇଁ ଆଗାମୀ ମାର୍ଚ୍ଚ ୨୦୨୬ ସୁଦ୍ଧା ୯୬% ATM ରେ ଯେପରି ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେବ, ସେଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

error: Content is protected !!