ଆଜିର ଆଧୁନିକ ଯୁଗରେ ଧୀରେ ଧୀରେ ଆଧ୍ୟାତ୍ମିକ ଚିନ୍ତାଧାରାଠାରୁ ଦୂରେଇ ଯାଉଛି ମଣିଷ। ଏହାର ପରିଣାମ ସ୍ୱରୂପ ଲୋକମାନଙ୍କ ମନରେ ବଢୁଛି ଦୁଶ୍ଚିନ୍ତା ଆଉ ସେହି ଦୁଶ୍ଚିନ୍ତାର ପ୍ରଭାବରେ ସମାଜରେ ଦେଖାଯାଉଛି ନାନା ପ୍ରକାର କୁକର୍ମ । ଏପରି ପରିସ୍ଥିତିରେ ଜନସାଧାରଣଙ୍କ ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ କରାଯାଇଛି ଏକ ସୁନ୍ଦର ପ୍ରୟାସ ।
ଗଞ୍ଜାମ ଜିଲା ଭଞ୍ଜନଗର ଗେରେଡା ପଞ୍ଚାୟତର କେପିଟି ଗ୍ରାମର ଗ୍ରାମବାସୀଙ୍କ ସହ ସମାଜସେବୀ ବିନୟ କୁମାର ନାୟକଙ୍କ ଉଦ୍ୟମରେ ଗତ ବର୍ଷ ଏଠାରେ ପ୍ରତିଷ୍ଠା କରାଯାଇଥିଲା ଭାଗବତ ଗାଦୀ ଓ ମନ୍ଦିର ପ୍ରତିଷ୍ଠା। ସେହି ଦିନଠାରୁ ଏହି ଭାଗବତ ମନ୍ଦିରରେ ନିୟମିତ ହୋଇ ଆସୁଛି ଭାଗବତ ପାଠ ସହ ପୂଜା–ଅର୍ଚ୍ଚନା ।
ତେବେ ଆଜି ଏହି ପବିତ୍ର ପୀଠର ବାର୍ଷିକ ଉତ୍ସବ ହର୍ଷ ଓ ଉଲ୍ଲାସରେ ପାଳିତ ହୋଇଛି। ସକାଳୁ ସକାଳୁ ମହିଳାମାନଙ୍କ କଳସ ଯାତ୍ରା ସହ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶତାଧିକ ଗ୍ରାମବାସୀଙ୍କ ସହଭାଗୀତାରେ କଳସ ସ୍ଥାପନ, ନାମ ସଂକୀର୍ତ୍ତନ, ଅନ୍ନ ଯଜ୍ଞ ସହ ଘୃତ ଯଜ୍ଞ ଆୟୋଜିତ ହୋଇଥିଲା।
ଆୟୋଜକମାନଙ୍କ କହିବା ଅନୁସାରେ ଶିବରାତ୍ରି ଦିନଠାରୁ ଶୁଭାରମ୍ଭ ହୋଇଥିବା ଏହି ନମାଯଜ୍ଞ ସାତ ଦିନ ବ୍ୟାପି ଅନୁଷ୍ଠିତ ହେବ। ନାମ ଯଜ୍ଞରେ ଅଂଚଳର ଛଅଟି ନାମ ଦଳ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନେଇଛନ୍ତି। ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ଅନ୍ନ ଯଜ୍ଞ ସହ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।
ଏହି ଅବସରରେ ବିନୟ କୁମାର ନାୟକ କହିଛନ୍ତି ଯେ, ମନୁଷ୍ୟ କେତେ ଆଧୁନିକ ହେଲେ ମଧ୍ୟ ଯଜ୍ଞ ଓ ଭାଗବତ ପାଠର ଗୁରୁତ୍ୱ କେବେ ହ୍ରାସ ପାଉନାହିଁ। ଶୃଙ୍ଖଳିତ ଓ ସୁସଂସ୍କୃତ ସମାଜ ଗଠନ ପାଇଁ କେପିଟି ଗ୍ରାମବାସୀଙ୍କ ଏହି ପ୍ରୟାସ ନିଶ୍ଚୟ ଭାବେ ପ୍ରଶଂସନୀୟ।

More Stories
ଡ଼ମୋଳ ଗାଁରେ ମହା ଶିବରାତ୍ରୀ ଲାଗି କଳସ ଯାତ୍ରା
ଚାନ୍ଦନୀମାଲ ଧନୁଯାତ୍ରା ପାଇଁ – ଶୁଭସ୍ତମ୍ବ ସ୍ଥାପନ