February 21, 2026

Now Odisha

Now Odisha

ଆଧୁନିକ କଳାହାଣ୍ଡିର ନିର୍ମାତା ଥିଲେ ବ୍ରଜମୋହନ ଦେଓ

Spread the love

ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ଯେତେବେଳେ ବିଭିନ୍ନ ଗଡ଼ଜାତ ରାଜ୍ୟ ତଥା ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ଗୁଡିକରେ ରାସ୍ତା ଏବଂ ଗୃହକୁ ବିଦ୍ୟୁତିକରଣ, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ଟେଲିଫୋନ ଓ ଟେଲିଗ୍ରାଫ ବ୍ୟବସ୍ଥା ଉପଲବ୍ଧ ନଥିଲା ସେହି ସମୟରେ କଳାହାଣ୍ଡି ଗଡଜାତର ୩୦ ତମ ନାଗବଂଶି ମହାରାଜା ବ୍ରଜ ମୋହନ ଦେଓ ତାଙ୍କ ରାଜଧାନୀ ସହର ଭବାନୀପାଟଣାରେ ଏହି ସବୁ ବ୍ୟବସ୍ଥା ସହ ଉନ୍ନତ ପରିମଳ ବ୍ୟବସ୍ଥା କରାଇଥିଲେ। ରାସ୍ତା ଯୋଗାଯୋଗ ଓ ତୃଣମୂଳ ସ୍ତରରେ ଶିକ୍ଷାର ପ୍ରସାର ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ। ସେ ପ୍ରଶାସନିକ ସଂସ୍କାର ଆଣି ପୋଲିସ ବିଭାଗକୁ ଆଧୁନିକିକରଣ ଓ ଆଧୁନିକ ପଦ୍ଧତିରେ ଜମି ବନ୍ଦୋବସ୍ତ କରାଇଥିଲେ। ତାଙ୍କ ଦ୍ବାରା ଭବାନୀପାଟଣାରେ ପ୍ରଥମ ଉଚ୍ଚ ବିଦ୍ୟାଳୟ ସ୍ଥାପନ ସହ ନାରୀ ଶିକ୍ଷା ପାଇଁ ଓ ଅନୁନ୍ନତ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। କଳାହାଣ୍ଡି ଗଡଜାତର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ବ୍ରଜମୋହନ ଦେଓ କଳାହାଣ୍ଡିର ୩୦ ତମ ନାଗବଂଶୀ ମହାରାଜା ଥିଲେ ଓ ଆଧୁନିକ କଳାହାଣ୍ଡିର ରୂପକାର ଥିଲେ ବୋଲି ବ୍ରଜ ମୋହନ ସାହିତ୍ୟ ସମିତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ” ଆଧୁନିକ କଳାହାଣ୍ଡି ର ନିର୍ମାତା ବ୍ରଜମୋହନ ଦେଓ” ଶୀର୍ଷକ ବକ୍ତୃତାମାଳାରେ ଆଲୋଚକ ଉମା ଶଙ୍କର କର ବକ୍ତବ୍ୟ ରଖିଥିଲେ। ଭବାନୀପାଟଣା ରାଜବାଟି ସଭା ମଣ୍ଡପ ଠାରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜମାତା ଶ୍ରୀମତୀ ପଦ୍ମମଞ୍ଜରୀ ଦେଓ ମୁଖ୍ୟ ଅତିଥି ଓ ମହାରାଣୀ ଶ୍ରୀମତୀ ରିତୁଜା କୁମାରୀ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବିଷୟ ଉପରେ ଆଲୋଚକ ଉମା ଶଙ୍କର କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଡ଼ ଦାଶରଥି ଆଚାର୍ଯ୍ୟ ବ୍ରଜ ମୋହନ ସାହିତ୍ୟ ସମିତିର ପ୍ରତିଷ୍ଠା ଓ କାର୍ଯ୍ୟାବଳି ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମହାରାଜା ଅନନ୍ତ ପ୍ରତାପ ଦେଓ ସ୍ବାଗତ ଭାଷଣ ଦେବା ସହ ବ୍ରଜ ମୋହନ ସାହିତ୍ୟ ସମିତି ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ। ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ରାଜ୍ୟ, ଦେଶ ତଥା ବିଦେଶରୁ ବିଜ୍ଞ ଆଲୋଚକ ମାନଙ୍କୁ ବ୍ରଜ ମୋହନ ସାହିତ୍ୟ ସମିତି ବକ୍ତୃତାମାଳା କୁ ଆମନ୍ତ୍ରଣ କରାଯିବ ବୋଲି କହିଥିଲେ। ଏହି ଅବସରରେ ପଦ୍ମଶ୍ରୀ ପଟାଏତ କୁମାର ସାହୁଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା।ଷ୍ଟେପିଂ ଷ୍ଟୋନ୍ ଇଂଲିଶ ମିଡିଅମ୍ ସ୍କୁଲର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଆକାଶବାଣୀ ଉଦଘୋଷକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!