February 4, 2026

Now Odisha

Now Odisha

ବୋମା ଫୁଟାଇ ଲୁଟିଲେ ଅଳଙ୍କାର ଦୋକାନ: ପୋଛିନେଲେ କେଜିଏ ସୁନା, ଗୁଳିମାଡ଼ରେ ଜଣେ ଗୁରୁତର |

Spread the love

ଜଙ୍କିଆ: ଦିନ ଦିପହରରେ ବୋମା ଫୁଟାଇ ଏବଂ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇସୋନୁ ଅଳଙ୍କାର ଦୋକାନରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୫ କିଲୋଗ୍ରାମ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ପାର୍ବଣ ପୂର୍ବରୁ ଏହି ଘଟଣା ଖୋର୍ଦ୍ଧା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଛି।

ରବିବାର ଅପରାହ୍ଣ ପ୍ରାୟ ୨ଟା। ୪ଟି ପଲ୍ସର୍ ବାଇକ୍ରେ ୮ ଜଣ ମୁଖାଧାରୀ ବ୍ୟକ୍ତି ଆସି ସାଇସୋନୁ ଜୁଏଲାରିରେ ପହଞ୍ଚିଥିଲେ। ଦୁଇ ଜଣ ବାହାରେ ଅପେକ୍ଷା କରିଥିବା ବେଳେ ୬ ଜଣ ଦୋକାନ ଭିତରେ ପଶି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅଳଙ୍କାର ଲୁଟିବା ଆରମ୍ଭ କରିଥିଲେ। ଏହି ସମୟରେ ଜୁଏଲାରିର ଜଣେ ସେଲ୍ସ ୱିମ୍ୟାନ୍ ଦୋକାନର ପଛପଟୁ ଆସି ଲୋକଙ୍କୁ ଜଣାଇବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଚାପୁଡ଼ା ମାରିବା ସହ ଚୁପ୍ ରହିବାକୁ ଧମକ ଦେଇଥିଲେ। ଯୁବତୀଙ୍କୁ ମାଡ଼ ମାରୁଥିବା ଦେଖି ପାଖ ଏଟିଏମ୍ରୁ ଟଙ୍କା ଉଠାଇ ଆସୁଥିବା ସରପାରୀ ଗ୍ରାମର ରାଜା ପ୍ରଧାନ ପ୍ରତିବାଦ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ।

ଗୁଳିମାଡ଼ରେ ଜଣେ ଗୁରୁତର
୨୦ ମିନିଟ୍ ଧରି ଆତଙ୍କ ରଚିଲେ ଦୁର୍ବୃତ୍ତ

ଏହା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ଦୋକାନ ସମ୍ମୁଖରେ ଏକ ହାତବୋମା ଫୁଟାଇଥିଲେ। ଅଳଙ୍କାରଗୁଡ଼ିକୁ ଏକ ବ୍ୟାଗରେ ପୂରାଇ ସେଠାରୁ ଯିବା ବେଳେ ରାସ୍ତାରେ ଆଉ ଦୁଇଟି ବୋମା ଫୁଟାଇଥିଲେ। ଦୁର୍ବୃତ୍ତମାନେ ହଜ ଭାୟା ଟାଙ୍କୋଳ ରାସ୍ତାରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଅଳଙ୍କାର ବ୍ୟାଗ୍ଟି ବାଇକ୍ରୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଦୁର୍ବୃତ୍ତମାନେ ଆଉ ଏକ ବୋମା ଫୁଟାଇ ଅଳଙ୍କାର ବ୍ୟାଗ୍ ସହ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଲୋକଙ୍କଠାରୁ ଖବର ପାଇ ଖୋର୍ଦ୍ଧା ଏସ୍ପି ବିବେକାନନ୍ଦ ଶର୍ମା, ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ, ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଆହତ ଯୁବକଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଲୁଟ୍ ବେଳେ ଜୁଏଲରି ମାଲିକ ଅନୁପସ୍ଥିତ ଥିଲେ।
ପ୍ରାଥମିକ ତଦନ୍ତରେ, ଦୁର୍ବୃତ୍ତମାନେ ଲୁଟ୍ ନିମନ୍ତେ ପୂର୍ବ ପ୍ରସ୍ତୁତି କରିଥିବା ଓ ଏଥିରେ ସ୍ଥାନୀୟ କିଛି ବ୍ୟକ୍ତି ସେମାନଙ୍କୁ ସହଯୋଗ କରିଥିବା ଅନୁମାନ କରାଯାଉଛି। ନିଜର ପରିଚୟ ଲୁଚାଇବାକୁ ଲୁଟ୍ ଶେଷ ହେବା ଯାଏଁ କୌଣସି ଲୁଟେରା ନିଜ ମୁଣ୍ଡରୁ ମୁଖା ଓ ହେଲ୍ମେଟ୍ ହଟାଇନଥିଲେ। ତେବେ ପୁଲିସ ଆଖପାଖର ସିସିଟିଭି ଫୁଟେଜ୍ ସଂଗ୍ରହ କରି ସେମାନଙ୍କୁ ଧରିବା ଲାଗି ତନାଘନା ଜାରି ରଖିଛି।

error: Content is protected !!