ଶୂନ୍ୟକାଳରେ ବିଜେପି ବିଧାୟକ ସରୋଜ ପାଢ଼ୀ ଏହି ବିଷୟ ଉଠାଇ ବିଜୁ ଜନତା ଦଳ (ବିଜେଡି) ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ରହିଥିଲେ ମଧ୍ୟ ନିର୍ବାଚନ ସମୟରେ ତାଙ୍କର ଫଟୋ ବ୍ୟବହାର କରାଯାଇନଥିଲା, ଯାହା ଦଳର ସମ୍ମାନକୁ ପ୍ରଶ୍ନବାଚୀ କରେ।
ଏହି ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଯୋଗ ଦେଇ କହିଥିଲେ ଯେ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ପରିଚୟ ଓ ଗର୍ବର ପ୍ରତୀକ।
ସେ ଓଡ଼ିଶାର ଉନ୍ନତି ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ। ଶ୍ରୀମତୀ ମଲିକ ଦାବି କରିଥିଲେ ଯେ ବିଜୁ ପଟ୍ଟନାୟକଙ୍କୁ ନେଇ ଆସିଥିବା ନିନ୍ଦା ପ୍ରସ୍ତାବ ଉପରେ ସମୟ ନେଇ ସଠିକ୍ ଆଲୋଚନା ହେଉ।
ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିବୃତି ରଖି କହିଥିଲେ ଯେ ବିଜୁ ପଟ୍ଟନାୟକ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ କିମ୍ବା ରାଜନେତା ନଥିଲେ, ସେ ଥିଲେ ଓଡ଼ିଆ ଅସ୍ମିତାର ପରିଚୟ। ଦିଲ୍ଲୀରେ ଜଣେ ବିଜେପି ସାଂସଦଙ୍କ ବିଜୁ ପଟ୍ଟନାୟକଙ୍କ ପ୍ରତି ଅଶାଳୀନ ଟୀକାଟିପ୍ପଣୀ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ ଯେ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ ସମଗ୍ର ଓଡ଼ିଆ ଜାତି ପ୍ରତି ଅପମାନ। ପାକିସ୍ତାନର ଉଦାହରଣ ଦେଇ କାଶ୍ମୀରକୁ ରକ୍ଷା କରିବାରେ ଜଣେ ପାଇଲଟ ଭାବେ ତାଙ୍କର ଅବଦାନ ରହିଥିଲା। ପଣ୍ଡିତ ନେହେରୁ ବିଜୁ ପଟ୍ଟନାୟକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ଦେଶ ପାଇଁ ନିଜ ଜୀବନ ଦେଇଥିବା ବିଜୁ ପଟ୍ଟନାୟକଙ୍କ ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ମଧ୍ୟ ତାଙ୍କର ଅବଦାନ ରହିଛି। ନିନ୍ଦା କରିବାକୁ ପାଟିରେ ଭାଷା ନାହିଁ। ନିନ୍ଦା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା ପାଇଁ ସମୟ ଦେବାକୁ ସେ ଦାବି କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ ଯେ ବିଜେପି ସରକାର ଆସିବା ପରେ ସ୍ୱାଭିମାନ ପ୍ରତି ଅଙ୍ଗୁଳି ଉଠାଇଛି। ବିଜୁ ପଟ୍ଟନାୟକ ଏ ଦେଶର ସ୍ୱାଭିମାନ ଏବଂ ଏ ମାଟିର ଜନନାୟକ। ଭାରତ ଓ ଓଡ଼ିଶାର ବିକାଶରେ ତାଙ୍କର ଅବଦାନ ରହିଛି। ସେହିପରି ସିପିଏମ୍ ବିଧାୟକ ଲକ୍ଷଣ ମୁଣ୍ଡା ମିଳିତ ବିରୋଧୀଙ୍କ ପକ୍ଷରୁ ଆସିଥିବା ନିନ୍ଦା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରନ୍ତୁ ବୋଲି କହିଥିଲେ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଆମେ ଆଗାମୀ ପିଢ଼ିକୁ କ’ଣ ଉତ୍ତର ଦେବା? ଓଡ଼ିଶାର ଇତିହାସକୁ ଆମେ ତର୍ଜମା କରିବା ଠିକ୍ ନୁହେଁ। ଏହି ପ୍ରସଙ୍ଗ ଅସମାହିତ ରହିଗଲେ ଠିକ୍ ହେବନାହିଁ। ତେଣୁ ଏହି ନୋଟିସ ଉପରେ ଆଲୋଚନା କରିବାକୁ ସେ ଦାବି କରିଥିଲେ।
ଏହି ସମସ୍ତ ନୋଟିସ ସମ୍ପର୍କରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ଯେ ଗତକାଲି ବିଜେଡି ବିଧାୟକମାନେ ଦେଇଥିବା ନୋଟିସ ତାଙ୍କ ହସ୍ତଗତ ହୋଇଛି। ଏହି ପ୍ରସଙ୍ଗ ବିଚାରାଧୀନ ଅଛି। ସେ ବିଧାନସଭାର ନିୟମାବଳୀ ଦେଖି ଏହି ନୋଟିସ ଗୁଡ଼ିକ ଉପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ।

More Stories
ପୂର୍ବତ୍ତନ ଜିଲ୍ଲାପରିଷଦ ଅଧ୍ୟାକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ
ଝାଟିଆସାହି-ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି
ପାଣିରେ ବୁଡ଼ି ଚାଲିଗଲା ନାବାଳିକାର ଜୀବନ