ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ପାଟମୁଣ୍ଡା ପଞ୍ଚାୟତ ଅଧୀନ କଦମଦିହି ଗାଁର ନାଳିଆ ଟୋଳା ସାହୀରେ ଦେଖାଦେଇଛି ଗୁରୁତର ଜଳ ସଙ୍କଟ। ଏଠାରେ ଥିବା ପ୍ରାୟ ୩୦ରୁ ଅଧିକ ପରିବାର ଏବେ ପାଣିର ଅଭାବରେ ଦିନକାଟୁଛନ୍ତି। ମାର୍ଚ୍ଚ ଶେଷରୁ ହିଁ ଏହି ସମସ୍ୟା ଗମ୍ଭୀର ଆକାର ନେଇଛି। ଗ୍ରୀଷ୍ମ ତିବ୍ରତା ବଢ଼ିବା ସହିତ ଗାଁ ପାଖରେ ଥିବା ନଈ ଓ ନାଳଗୁଡ଼ିକ ଶୁଖିଯାଇଛି। ଆଗକୁ ଆହୁରି ୩ରୁ ୪ ମାସ ଗ୍ରୀଷ୍ମ ବାକି ଥିବାରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ଦିନକୁ ଦିନ ବଢ଼ୁଛି।
ଗାଁରେ କୌଣସି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ, ଲୋକେ ଏକମାତ୍ର ଛୋଟ ଝରଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗ୍ରୀଷ୍ମ ତାପ ବଢ଼ିବା ସହିତ ଏହି ଝରଣା ମଧ୍ୟ ଶୁଖିଯାଉଛି, ଯାହା ଏବେ ଗଭୀର ଚିନ୍ତାର କାରଣ ହୋଇପଡ଼ିଛି।
ଅଭିଯୋଗ ଅନୁସାରେ, ଏହି ଝରଣାର ପାଣି ବିଷାକ୍ତ ହୋଇପଡ଼ିଥିବାରୁ ଏହା ପିଇ ଅନେକ ଲୋକ ରୋଗାକ୍ରାନ୍ତ ହେଉଛନ୍ତି। ସ୍ଥାନୀୟ ଲୋକମାନେ ପଞ୍ଚାୟତ ଓ ପ୍ରଶାସନକୁ ପୁନଃପୁନି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ। ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ବିଭିନ୍ନ ଯୋଜନା କାହା ପାଇଁ? କାହିଁକି ଏପର୍ଯ୍ୟନ୍ତ ଏହି ଗାଁକୁ ପହଞ୍ଚି ପାରୁନାହାଁନ୍ତି ସମ୍ବନ୍ଧିତ ବିଭାଗ? ଗରିବ ଲୋକଙ୍କ ଜୀବନ କେବଳ କଷ୍ଟରେ କାଟିବା ପାଇଁ ନା?ଏବେ ଦେଖିବାକୁ ବାକି ରହିଲା ଏହି ସମ୍ବାଦ ପ୍ରସାରଣ ପରେ କେବେ ଜାଗ୍ରତ ହେବେ ପ୍ରଶାସନ ଏବଂ କେବେ ଏହି ପୀଡ଼ିତ ପରିବାରମାନଙ୍କ ପାଇଁ ସୁରକ୍ଷିତ ପାନୀୟ ଜଳର ବ୍ୟବସ୍ଥା କରାଯିବ।

More Stories
ପୂର୍ବତ୍ତନ ଜିଲ୍ଲାପରିଷଦ ଅଧ୍ୟାକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ
ଝାଟିଆସାହି-ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି
ପାଣିରେ ବୁଡ଼ି ଚାଲିଗଲା ନାବାଳିକାର ଜୀବନ