ଅନନ୍ୟ ସାଧିକା ସରସ୍ୱତୀ ଦେବୀ ଓ ଅଯୋଧ୍ୟାର ରାମମନ୍ଦିର


ଅନନ୍ୟ ସାଧିକା ସରସ୍ୱତୀ ଦେବୀ ଓ ଅଯୋଧ୍ୟାର ରାମମନ୍ଦିର :ବିଗତ ୩୦’ବର୍ଷ ଧରି ମୌନବ୍ରତ ଧାରଣ କରିଛନ୍ତି ସରସ୍ବତୀ ଦେବୀ।ବର୍ତ୍ତମାନ ତାଙ୍କର ମୌନବ୍ରତ ତ୍ୟାଗ କରିବାର ଦିନ ଖୁବ୍ ନିକଟ ।ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଓ ସେଠାରେ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉଦ୍ଦେଶ୍ୟରେ ତାଙ୍କର ନୀରବ ସାଧନା ସତରେ ଅନନ୍ୟ।ସରସ୍ବତୀ ଦେବୀଙ୍କ ବର୍ତ୍ତମାନ ବୟସ ୮୫’ବର୍ଷ।ସେ ଝାଡଖଣ୍ଡର ଧାନବାଦ ନିବାସୀ।ପାଖାପାଖି ବିଗତ ୩୦’ବର୍ଷରୁ ସେ ମୌନବ୍ରତ ଧାରଣ କରିଛନ୍ତି। ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ପରେ ସେହିଦିନ ହିଁ ସେ “ସୀତାରାମ୍” ଉଚ୍ଚାରଣ ପୂର୍ବକ ତାଙ୍କର ମୌନବ୍ରତ ତ୍ୟାଗ କରିବେ ବୋଲି ଲିଖିତରେ ସୂଚନା ଦେଇଛନ୍ତି।ସରସ୍ୱତୀ ଦେବୀ ୧୯୯୨’ମସିହାରେ ତାଙ୍କର ମୌନବ୍ରତ ଆରମ୍ଭ କରିଥିଲେ।ସଂକଳ୍ପ ଥିଲା ଯଦି ତାଙ୍କ ଜୀବଦ୍ଦଶାରେ ଅଯୋଧ୍ୟାରେ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ହୁଏ ତେବେ ପ୍ରାଣପ୍ରତିଷ୍ଠା ପରେ ସେ ମୌନବ୍ରତ ତ୍ୟାଗ କରିବେ।ପ୍ରାଣପ୍ରତିଷ୍ଠା ଦିବସ ଯେତିକି ନିକଟତର ହେଉଛି ଧନବାଦର କରମଟାଣ୍ଡରେ ରହୁଥିବା ସରସ୍ୱତୀ ଦେବୀ ସେତିକି ପ୍ରସନ୍ନ ଦିଶୁଛନ୍ତି।ସେ ଲିଖିତ ଆକାରରେ ସୂଚାଇଛନ୍ତି କି “ମୋ ଜୀବନ ସଫଳ ହୋଇଗଲା।ରାମଲାଲା ମୋ’ତେ ପ୍ରାଣପ୍ରତିଷ୍ଠା ଉତ୍ସବକୁ ଡାକିଛନ୍ତି ।ମୋ ତପସ୍ୟା ଓ ସାଧନା ସଫଳ ହୋଇଛି।୩୦’ବର୍ଷ ପରେ ମୋର ମୌନବ୍ରତ ‘ରାମରାମ’ ସହ ସରିବ ।” ସରସ୍ବତୀ ଦେବୀଙ୍କ ପୁଅଙ୍କ କହିବା ଅନୁଯାୟୀ : ତାହା ଥିଲା ୧୯୯୨ ମସିହା ।ପରିବାର ସହିତ ସରସ୍ୱତୀ ଦେବୀ ଅଯୋଧ୍ୟାରେ ନିଜ ଆରାଧ୍ୟଙ୍କ ଦର୍ଶନ ପାଇଁ ଯାଇଥିଲେ, ତତ୍କାଳୀନ ରାମଜନ୍ମଭୂମି ନ୍ୟାସର ପ୍ରମୁଖ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ସେ ଦର୍ଶନ କରିବା ପରେ ତାଙ୍କୁ କାମତାନାଥ ପର୍ବତର ପ୍ରଦିକ୍ଷଣା କରିବା ପାଇଁ ମହନ୍ତ ନୃତ୍ୟ ଗୋପାଳ ଦାସ ନିର୍ଦ୍ଦେଶ ଦେଇଥିଲେ।ତତ୍ପରେ ସରସ୍ୱତୀ ଦେବୀ ଚିତ୍ରକୂଟ ଯାଇଥିଲେ।ସାଢେସାତ ମାସର କଳ୍ପବାସରେ ସେ ପ୍ରତିଦିନ ମାତ୍ର ଗୋଟିଏ ଗିଲାସ କ୍ଷୀର ପାନ କରି ରହୁଥିଲେ।୧୪’କିଲୋମିଟୋର ପରିକ୍ରମା ପରେ ୬’ଡିସେମ୍ବର ୧୯୯୨ରେ ଅଯୋଧ୍ୟା ଫେରିଆସିଥିଲେ ସେହିଦିନ ମହନ୍ତ ନୃତ୍ୟ ଗୋପାଳ ଦାସ ତାଙ୍କୁ ସମ୍ପୂର୍ଣ୍ଣ ମୌନବ୍ରତ ପାଇଁ ଉପଦେଶ ଦେଇଥିଲେ ଉଦ୍ଦେଶ୍ୟ ଥିଲା ଅଯୋଧ୍ୟାରେ ରାମଚନ୍ଦ୍ରଙ୍କ ପୁନ୍ନପ୍ରତିଷ୍ଠା। ସେ ଅନନ୍ୟା ସାଧିକାଙ୍କର ନୀରବ ତିତିକ୍ଷାର ଅନ୍ତ ଆସନ୍ତା ୨୨’ତାରିଖରେ ହେବ ଯେଉଁଦିନ ନୂତନ ମନ୍ଦିରରେ ପ୍ରତିଷ୍ଠିତ ହେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର। ଅଯୋଧ୍ୟାରେ ଆଜିର ନୂତନ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପଛରେ ଏପରି କେତେ କେତେ ସାଧକସାଧିକାଙ୍କର ନିରବଚ୍ଛିନ୍ନ ସାଧନା ଯେ ଥିବ ତାହା ଭବିଷ୍ୟତ କହିବ।


error: Content is protected !!