ଭୁବନେଶ୍ୱର, ୧୦ ଏପ୍ରିଲ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ’ ଅବସରରେ ଆଜି ଦଶମ ଦିନରେ ପୁରୀ ଜିଲ୍ଲାର ପିପିଲିରେ ରାଜ୍ୟ ସ୍ତରୀୟ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦ରୁ ଅଧିକ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିବା ବେଳେ, ୮୦୦ରୁ ଅଧିକ କଳାକାର ପିପିଲିର ରାଜପଥରେ ନିଜ ନିଜ ଲୋକକଳା ପ୍ରଦର୍ଶନ କରିଥିଲେ। ଜବାହର ବିଦ୍ୟାପୀଠ ଠାରୁ ପଦାପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ରାଲିରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପାରମ୍ପରିକ ନୃତ୍ୟର ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଭଦ୍ରକର ମୋଗଲ ତାମସା, ବାଲେଶ୍ୱରର ନୀଳଗିରି ଛଉ, ବରଗଡ଼ର ଦୁଲଦୁଲି, ବୌଦ୍ଧର ଦଣ୍ଡନୃତ୍ୟ, ଗଞ୍ଜାମର ବାଘନାଚ, ଖୋର୍ଦ୍ଧାର ଗୋଟିପୁଅ, କଳାହାଣ୍ଡିର ଘୁମୁରା ସହ ବହୁ ପ୍ରସିଦ୍ଧ ଲୋକନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ଏହି ଅବସରରେ ରାଜ୍ୟର ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଆ ପକ୍ଷ ହେଉଛି ଓଡ଼ିଆ ଅସ୍ମିତାର ମହାପର୍ବ ଓ ଲୋକକଳା ଆମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି।
ସେହିପରି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶାର ଲୋକକଳା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ପାଳିତ ହୋଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |