May 6, 2026

Now Odisha

Now Odisha

ବିସ୍ଫୋରଣରେ ଛାରଖାର ହେଲା ବାଣ କାରଖାନା; ୨୧ ମୃତ, ୬୦ରୁ ଅଧିକ ଆହତ!

Spread the love

ଚୀନ : ଚୀନର ହୁନାନ ପ୍ରଦେଶ ଅନ୍ତର୍ଗତ ଲିଉୟାଙ୍ଗ ସହରରେ ଥିବା ଏକ ବାଣ କାରଖାନାରେ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଗୁଆଣ୍ଡୁ ସହରରେ ଅବସ୍ଥିତ ‘ଲିଉୟାଙ୍ଗ ହୁଆସେଙ୍ଗ ଫାୟାରୱାର୍କସ’ ନାମକ ଏହି କାରଖାନାରେ ହୋଇଥିବା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଚାରିପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା।

ଘଟଣା ପରେ ତୁରନ୍ତ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୬୧ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଲି କ୍ୟାଙ୍ଗ ମଧ୍ୟ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଯେପରି ଭବିଷ୍ୟତରେ ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ନହୁଏ।

ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୫୦୦ ଜଣ ଜରୁରୀକାଳୀନ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ବିଶେଷ କରି କୋଠା ଭିତରେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଅତ୍ୟାଧୁନିକ ରୋବଟ୍‌ଗୁଡ଼ିକର ସାହାଯ୍ୟ ନିଆଯାଉଛି। ତେବେ ଉଦ୍ଧାର କାର୍ଯ୍ୟ ସମୟରେ କାରଖାନା ଭିତରେ ଥିବା ଦୁଇଟି ଗୁଣ୍ଡଗୋଳା (Gunpowder) ଗୋଦାମ ପାଇଁ ବିପଦ ଅଧିକ ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ବାଣ କମ୍ପାନୀର ମୁଖ୍ୟଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି।

error: Content is protected !!