ନିର୍ବାଚନ ପୂର୍ବରୁ CAA; ଗୃହମନ୍ତ୍ରୀ ଅମିତ ଶାହ କଲେ ବଡ଼ ଘୋଷଣା


ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ । CAA ଲାଗୁ କରିବା ନେଇ ଘୋଷଣା କରିଛନ୍ତି ଅମିତ୍ ଶାହ । ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦ ସିଟ୍ ପାର୍ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଇଟି ନାଓ ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀରେ ନିର୍ବାଚନ ପୂର୍ବରୁ CAAକୁ ଲାଗୁ ହେବ ବୋଲି କହିଛନ୍ତି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସ୍ପଷ୍ଟ କରି କହିଛନ୍ତି, CAA କୌଣସି ବ୍ୟକ୍ତିର ନାଗରିକତା ଅଧିକାର ଅପସାରଣ କରାଯିବ ନାହିଁ । ଏହାର ଉଦ୍ଦେଶ୍ୟ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବ । ଏଭଳି ଘୋଷଣା ପ୍ରଥମେ କଂଗ୍ରେସ ହିଁ କରିଥିଲା ବୋଲି ଶାହ କହିଛନ୍ତି ।ଏହା ସହିତ ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବିପକ୍ଷ ପାର୍ଟିର ନେତା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭୁଲ୍ ସନ୍ଦେଶ ଦେଇ ଭୁଆଁ ବୁଲାଇବା ଚେଷ୍ଟା କରୁଛନ୍ତି । CAA କେବଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତରେ ନାଗରିକତା ଦେବା ଉଦ୍ଦେଶ୍ୟରେ ହୋଉଛି ବୋଲି ଗୃହମନ୍ତ୍ରୀ କହିଛନ୍ତି ।


error: Content is protected !!