May 15, 2026

Now Odisha

Now Odisha

ହୋର୍ମୁଜ ପ୍ରଣାଳୀ ବିବାଦ: ଭାରତ ପାଇଁ ଆଶ୍ୱସ୍ତି ଆଣିବ ୟୁଏଇର ନୂଆ ପାଇପଲାଇନ୍

Spread the love

ନୂଆଦିଲ୍ଲୀ : ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବାରେ ସଂଯୁକ୍ତ ଆରବ ଏମିରେଟ୍ ସମେତ ସବୁ ଗଲ୍ଫ ଦେଶର ତୈଳ-ଗ୍ୟାସ ଯୋଗାଣରେ ଖୁବ୍ କ୍ଷତି ହୋଇଛି। ଏହି ସଙ୍କଟରୁ ବର୍ତ୍ତିବା ପାଇଁ ଗଲ୍ଫ ଦେଶ ହୋର୍ମୁଜର ବିକଳ୍ପ ଖୋଜିବାରେ ଲାଗିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍(ୟୁଏଇ) ଏକ ନୂଆ ତୈଳ ପାଇପଲାଇ୍ ପ୍ରୋଜେକ୍ଟ ଉପରେ ଦ୍ରୁତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛି।

ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବିକ ,ୟୁଏଇ ହୋର୍ମୁଜ ପ୍ରଣାଳୀକୁ ବାଇପାସ୍ କରିବାକୁ ନିଜର କ୍ଷମତା ବଢାଇବା ପାଇଁ ଏକ ନୂଆ ତୈଳ ପାଇପ ଲାଇନ୍ ପ୍ରୋଜେକ୍ଟକୁ ଶୀଘ୍ର ତ୍ୱରାନ୍ୱିକ କରୁଛି। ସରକାରଙ୍କ ଆବୁଧାବୀ ମିଡିଆ ଅଫିସ (ଏଡିଏମଓ) ଶୁକ୍ରବାର କହିଛି ଯେ, ଏହି ନୂଆ ପାଇପଲାଇନ ମାଧ୍ୟମରେ ୨୦୨୭ ଯାଏ ଫୁଜୈରାହର ରାସ୍ତାରେ ତୈଳ ରପ୍ତାନୀ କ୍ଷମତା ଦୁଇ ଗୁଣା କରାଯିବ।

ଆବୁଧାବୀର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ ଜାୟଦ ଏକ କାର୍ଯ୍ୟକାରୀ ସମିତିର ବୈଠକ ବେଳେ ଆବୁଧାବୀ ନ୍ୟାସନାଲ ଅୟଲ କମ୍ପାନୀ (ଏଡିଏନଓସି) କୁ ୱେଷ୍ଟ ଇଷ୍ଟ ପାଇପଲାଇନ ପ୍ରୋଜେକ୍ଟକୁ ଖୁବ୍ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି।

ଏଡିଏମଓଙ୍କ ମୁତାବିକ ,ପାଇପଲାଇନର ନିର୍ମାଣ ଜାରି ରହିଛି ଏବଂ ଏହା ୨୦୨୭ରେ ଚାଲୁ ହେବାର ଆଶା ରହିଛି। ହେଲେ ସରକାର ଏହା କହି ନାହାନ୍ତି ଯେ, ଏହି ପ୍ରୋଜେକ୍ଟର ମୂଳ ସମୟସୀମା କଣ ଥିଲା।

ୟୁଏଇର ବର୍ତ୍ତମାନର ଆବୁଧାବି କ୍ରୁଡ୍ ଅଏଲ୍ ପାଇପଲାଇନ୍ (ADCOP), ଯାହାକୁ ହବସାନ-ଫୁଜୈରା ପାଇପଲାଇନ୍ ମଧ୍ୟ କୁହାଯାଏ, ଦୈନିକ ୧୮ ଲକ୍ଷ ବ୍ୟାରେଲ୍ ତେଲ ପରିବହନ କରିବାର କ୍ଷମତା ରଖିଛି। ଏହି ପାଇପଲାଇନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ମାଧ୍ୟମରେ ୟୁଏଇ ଓମାନ ସାଗର ଉପକୂଳରୁ ସିଧାସଳଖ ତେଲ ରପ୍ତାନି କରି ପାରିବ।

ୟୁଏଇ ଏବଂ ସାଉଦୀ ଆରବ ହେଉଛନ୍ତି ଗଲ୍ଫ ଅଞ୍ଚଳର ଏମିତି ଦୁଇଟି ତେଲ ଉତ୍ପାଦନକାରୀ ଦେଶ, ଯାହାଙ୍କ ପାଖରେ ହୋର୍ମୁଜ ପ୍ରଣାଳୀ ବାହାରେ କ୍ରୁଡ୍ ଅଏଲ୍ ରପ୍ତାନି କରିବା ପାଇଁ ପାଇପଲାଇନ୍ ରହିଛି। ଅନ୍ୟପଟେ ଓମାନ ପାଖରେ ଓମାନ ସାଗର କୂଳରେ ଏକ ଦୀର୍ଘ ସମୁଦ୍ର ଉପକୂଳ ରହିଛି।

ଇରାନ ଏବଂ ଓମାନ ମଧ୍ୟରେ ଅବସ୍ଥିତ ହୋର୍ମୁଜ ପ୍ରଣାଳୀକୁ ଇରାନ, ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଆକ୍ରମଣର ଜବାବରେ ବନ୍ଦ କରିଦେଇ ଥିଲା। ସାଧାରଣତଃ ଏହି ସାମୁଦ୍ରିକ ପଥ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଯୋଗାଣ ଏସିଆ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ହୋଇଥାଏ। କୁଏତ, ଇରାକ, କାତାର ଏବଂ ବାହାରିନ ଭଳି ଦେଶମାନେ ତେଲ ରପ୍ତାନି ପାଇଁ ସମ୍ପୂର୍ଣ୍ଣ ଭାବେ ଏହି ପଥ ଉପରେ ନିର୍ଭରଶୀଳ।

ଶକ୍ତି ଯୋଗାଣରେ ବାଧା ଉପୁଜିବା ଫଳରେ ତେଲ ଏବଂ ଗ୍ୟାସ ଦରରେ ବେଗରେ ବୃଦ୍ଧି ଘଟିଛି। ଅନେକ ସରକାରଙ୍କୁ ଜାଳେଣିର ରାସନିଂ କରିବାକୁ ପଡୁଛି ଏବଂ ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଆର୍ଥିକ ମାନ୍ଦାବସ୍ଥାର ବିପଦ ମଧ୍ୟ ବଢିଯାଇଛି।

ୟୁଏଇ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସହଭାଗୀ। ଭାରତ-ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବେ ୧୦୦ ବିଲିୟନ ଡଲାର ଅତିକ୍ରମ କରିସାରିଛି। ଦୁଇ ଦେଶ ୨୦୩୨ ସୁଦ୍ଧା ଅଣ-ତୈଳ ବାଣିଜ୍ୟକୁ ୨୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଭାରତର ଶୀର୍ଷ ତେଲ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରେ ୟୁଏଇ ଅନ୍ୟତମ। ରୁଷ, ଇରାକ ଏବଂ ସାଉଦୀ ପରେ ସବୁଠାରୁ ଅଧିକ ତେଲ ୟୁଏଇରୁ ହିଁ ଆସି ଥାଏ। ହୋର୍ମୁଜ ପ୍ରଣାଳୀ ବନ୍ଦ ହୋଇଥିଲେ ମଧ୍ୟ ଏପ୍ରିଲ ମାସରେ ଦୈନିକ ପ୍ରାୟ ୬ ଲକ୍ଷ ବ୍ୟାରେଲ୍ ତେଲ ୟୁଏଇ ଭାରତକୁ ପଠାଇଛି।

ବର୍ତ୍ତମାନ ୟୁଏଇ ହୋର୍ମୁଜ ପଥକୁ ବାଇପାସ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛି, ଯାହାଦ୍ୱାରା ଭାରତ ବହୁତ ଉପକୃତ ହେବ। ୟୁଏଇର ନୂଆ ପାଇପଲାଇନ୍ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପରେ ଫୁଜୈରା ମାଧ୍ୟମରେ ୟୁଏଇ ଦୁଇଗୁଣା ତେଲ ପଠାଇବାକୁ ସକ୍ଷମ ହେବ।

ଏହାଦ୍ୱାରା ରିସ୍କ ପ୍ରିମିୟମ କମିବ, ଜାହାଜଗୁଡ଼ିକର ବୀମା ସମସ୍ୟା ଦୂର ହେବ ଏବଂ ଶିପିଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଫଳରେ ୟୁଏଇରୁ ଆସୁଥିବା ତେଲ ଭାରତକୁ ଶସ୍ତା ପଡ଼ିପାରେ, ଯାହା ଦେଶର ତେଲ ଆମଦାନୀ ବିଲ୍କୁ କମାଇବାରେ ସାହାଯ୍ୟ କରିବ।

error: Content is protected !!