ତୃଣମୂଳ କଂଗ୍ରେସ ବିଧାୟକ (TMC) ଦିଲ୍ଲୀପ ମଣ୍ଡଳଙ୍କୁ ପୁରୀରୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (STF)। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସେ ପରିବହନ ମନ୍ତ୍ରୀ ଥିଲେ। ତାଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ସେ ଗତ କିଛି ସପ୍ତାହ ହେବ ଫେରାର ରହିଥିଲେ।
ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ଦିଲ୍ଲୀପ ମଣ୍ଡଳଙ୍କୁ ପୁରୀର ଏକ ହୋଟେଲରୁ ଗିରଫ କରିଛି। ଗିରଫ କରିବା ପରେ ଏସ୍ଟିଏଫ ତାଙ୍କୁ ପଶ୍ଚିମବଙ୍ଗ ନେଇଯାଇଛି।
ବିଷ୍ଣୁପୁର (ଦକ୍ଷିଣ ୨୪ ପରଗଣା) ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦିଲ୍ଲୀପ ମଣ୍ଡଳଙ୍କ ନାଁରେ ଏକାଧିକ ମାମଲା ରହିଛି। ତା’ ମଧ୍ୟରେ ବିଜେପି କର୍ମକର୍ତ୍ତାଙ୍କୁ ଧମକଚମକ ଦେବା ମାମଲା ରହିଛି। ପଶ୍ଚିମବଙ୍ଗ ପୁଲିସର ଏସ୍ଟିଏଫ ତାଙ୍କୁ ଧରିବାକୁ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା। କିନ୍ତୁ କେଉଁଠି ପାଇ ନଥିଲା। ଶେଷରେ ତାଙ୍କୁ ପୁରୀରୁ ଗିରଫ କରିଛି ଏସ୍ଟିଏଫ।
ଏହା ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇ ବିଧାୟକ ଦିଲ୍ଲୀପ ମଣ୍ଡଳଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ଗିରଫ କରିଥିଲା। ବେଆଇ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ପୁଲିସ୍ ଯେତେବେଳେ ଏହି ମାମଲାରେ ଆହୁରି ଖୋଳତାଡ଼ କଲା, ସେତେବେଳେ ଜାଣିବାକୁ ପାଇଲା ଯେ ଏଥିରେ ବିଧାୟକ ଦିଲ୍ଲୀପ ମଣ୍ଡଳଙ୍କର ସଂପୃକ୍ତି ରହିଛି। ଏହା ପରେ ଗିରଫ ହେବା ଭୟରେ ଫେରାର ହୋଇଯାଇଥିଲେ ଦିଲ୍ଲୀପ ମଣ୍ଡଳ।

More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ