June 13, 2026

Now Odisha

Now Odisha

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

Spread the love

 ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ ପାକିସ୍ତାନ ଶନିବାର କହିଛି। ଡିଲ୍‌ ଚୂଡ଼ାନ୍ତ ହେବା ନେଇ ଉଭୟ ପକ୍ଷ ଆଶାବାଦୀ ଥିବାବେଳେ ଏଦିଗରେ ମଧ୍ୟସ୍ଥମାନେ କାର୍ଯ୍ୟ ଜାରି ରଖିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ କହିଛନ୍ତି। ଶାନ୍ତି ଚୁକ୍ତି ଏତେ ନିକଟତର କେବେ ହୋଇ ନ ଥିଲା ବୋଲି ଶରିଫ୍‌ Xରେ ପୋଷ୍ଟ କରିଛନ୍ତି।
ଦୀର୍ଘ ମାସ ଧରି ଚାଲିଥିବା ଯୁଦ୍ଧ ଏବଂ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଯୋଗୁ ଉକ୍ତ ଅଞ୍ଚଳ ସମେତ ବୈଶ୍ୱିକ ଅର୍ଥନୀତିକୁ ବିପର୍ଯ୍ୟସ୍ତ ହୋଇଛି। ନୂଆ ସଂଘର୍ଷ ସତ୍ତ୍ୱେ ବହୁ ପ୍ରତୀକ୍ଷିତ ଶାନ୍ତି ଚୁକ୍ତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବା ମଧ୍ୟସ୍ଥମାନେ ଦାବି କରିଛନ୍ତି।
ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ ଉକ୍ତ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା। ଏଥିସହିତ ଇନ୍ଧନ ପରିବହନର ଗୁରୁତ୍ୱପୂର୍ଣ୍ଣ ଜଳପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ବନ୍ଦ କରିଦେବାରୁ ତୈଳ ଓ ଗ୍ୟାସ୍‌ ପରିବହନ ବାଧାପ୍ରାପ୍ତ ହେବା ସହ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇଛି। ଏପ୍ରିଲ ୮ରୁ ଆମେରିକା ଓ ଇରାନ ମଧ୍ୟରେ ସାମୟିକ ଅସ୍ତ୍ରବିରତି ଆରମ୍ଭ ହୋଇଥିବାବେଳେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ଲାଗି ଶାନ୍ତି ଚୁକ୍ତିନାମାରେ ପହଞ୍ଚତ୍ବା ପାଇଁ ଦୁଇ ଦେଶ ମଧ୍ୟରେ କିଛି ସପ୍ତାହ ହେଲା ବୁଝାମଣା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଚୂଡ଼ାନ୍ତ ହେବା ଆଶା କରାଯାଉଛି। ଏହା ପରେ ଶାନ୍ତି ଚୁକ୍ତିରେ ତୁରନ୍ତ ଇଲେକ୍ଟ୍ରୋନିକ୍‌ ସ୍ବାକ୍ଷର ପାଇଁ ପାକିସ୍ତାନ ପ୍ରସ୍ତୁତି ଚଳାଇଛି। ଚୁକ୍ତି ସ୍ବାକ୍ଷର ପରେ ପରବର୍ତ୍ତୀ ସପ୍ତାହରେ ବୈଷୟିକ ସ୍ତରୀୟ ଆଲୋଚନା ହେବ ବୋଲି ଶରିଫ କହିଛନ୍ତି।
ଚୁକ୍ତିନାମା ପ୍ରସ୍ତୁତ ହୋଇଥିବାରୁ ଇରାନ ଉପରେ ନୂଆ ଆକ୍ରମଣକୁ ସ୍ଥଗିତ ରଖାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର କହିଥିଲେ। ଇରାନ ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବଘେର ଘଲିବାଫ୍‌ ମଧ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଦେଇଥିଲେ। ପ୍ରସ୍ତାବିତ ଡିଲ୍‌ରେ ଇରାନ ଅଧିକାଂଶ ଦାବି ହାସଲ କରିନେଇଥିବା କୁହାଯାଉଛି। ଇରାନର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ରଏଟର୍ସକୁ ଦେଇଥିବା ସୂଚନା ଅନୁଯାୟୀ, ଇରାନ ତୈଳ ଉପରୁ କଟକଣା ହଟାଇ ଦିଆଯିବା ସହ ବ୍ୟାଙ୍କରେ ଅଟକି ରହିଥିବା ଏହାର ବହୁ କୋଟି ଟଙ୍କା ମୁକ୍ତ କରାଯିବ। ଏଥିସହିତ ଲେବାନନ୍‌ ସମେତ ସମସ୍ତ ଫ୍ରଣ୍ଟ ଉପରେ ଆକ୍ରମଣ ବନ୍ଦ ପାଇଁ ଦାବି କରାଯିବ। ଆଣବିକ ପ୍ରସଙ୍ଗକୁ ଚୁକ୍ତିରୁ ବାଦ୍‌ ଦିଆଯାଇ ପରବର୍ତ୍ତୀ ଆଲୋଚନା ପାଇଁ ରହିବ ବୋଲି ସୂତ୍ରରୁ ଜଣାପଡ଼ିଥିଲା।

error: Content is protected !!