July 14, 2026

Now Odisha

Now Odisha

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |

Spread the love

କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି। ଗ୍ରାମବାସୀଙ୍କ ସାହସିକତା ଯୋଗୁ ୫ ଜଣ ଦୁର୍ବୃତ୍ତ କାବୁ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ବାଙ୍କିମୁଣ୍ଡା ଗ୍ରାମର ପ୍ରଶାନ୍ତ ତିୱାରୀଙ୍କ ଘରକୁ ଦୁଇଟି ବାଇକ୍‌ରେ ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସିଥିଲେ। ସେମାନେ ଜବରଦସ୍ତ ଘରେ ପଶି ପ୍ରଶାନ୍ତଙ୍କ ଭାଇବୋହୂଙ୍କ ଛାତିରେ ବନ୍ଧୁକ ଲଗାଇ ସମସ୍ତ ସୁନା ଗହଣା ଦେବାକୁ ଧମକ ଦେଇଥିଲେ। ଭାଇବୋହୂ ଓ ତାଙ୍କ ଛୋଟ ଝିଅର ଚିତ୍କାର ଶୁଣି ପ୍ରଶାନ୍ତ ସେଠାକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଭୟ ଦେଖାଇଥିଲେ।

ତେବେ ଏହି ସମୟରେ ଭାଇବୋହୂ ଜଣକ କୌଣସି ପ୍ରକାରେ କୌଶଳ କରି ଘର ବାହାରକୁ ଚାଲିଆସିଥିଲେ ଏବଂ ଫୋନ୍ ଯୋଗେ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ତୁରନ୍ତ ଗ୍ରାମବାସୀମାନେ ଏକାଠି ହୋଇ ଘରକୁ ଘେରିଯାଇଥିଲେ ଏବଂ ୫ ଜଣ ଡକାୟତଙ୍କୁ ସାହସର ସହ କାବୁ କରି ରଖିଥିଲେ।

ଏହାପରେ କୋକସରା ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଜିମାରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ କୋକସରା ଥାନାରେ କେସ୍ ନମ୍ବର ୧୫୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ଛାନଭିନ ଜାରି ରହିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଦୁର୍ବୃତ୍ତମାନେ କୋକସରା, ଆମପାଣି ଓ ଧର୍ମଗଡ଼ ଥାନା ଅଞ୍ଚଳର ଏବଂ ସେମାନେ ପୂର୍ବରୁ ମଧ୍ୟ ଅନେକ ଡକାୟତି ମାମଲାରେ ସଂପୃକ୍ତ ଅଛନ୍ତି। ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

error: Content is protected !!