July 20, 2026

Now Odisha

Now Odisha

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

Spread the love

 ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ ଅବହେଳା ପ୍ରକାଶ ପାଇଛି । କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଟିଗୁଡ଼ା ଗ୍ରାମରେ ଗତ ୬ ମାସ ତଳେ ଜିଓ କମ୍ପାନୀ ପକ୍ଷରୁ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲେ ହେଁ, ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ। କେବଳ ଟାୱାର ଖୁଣ୍ଟ ଗାଡ଼ି କମ୍ପାନୀ କାମ ଭୁଲିଯାଇଥିବାରୁ ୨୨୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମବାସୀ ଜରୁରୀକାଳୀନ ଯୋଗାଯୋଗ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହେଉଛନ୍ତି।

ଏଣୁ ଏହି ଟାୱାରକୁ ତୁରନ୍ତ ଚାଲୁ କରିବା ପାଇଁ ଅଞ୍ଚଳବାସୀ ପ୍ରାଧାନ୍ୟ ଦେଇ ଦାବି କରିଛନ୍ତି । ଗ୍ରାମରେ ନେଟୱାର୍କ ସମସ୍ୟା କେତେ ଜଟିଳ, ତାହାର ଏକ ଚିତ୍ର ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଗ୍ରାମର ରାଜେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ ସମୟରେ ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା। ଗ୍ରାମରେ ନେଟୱାର୍କ ନଥିବାରୁ ଲୋକେ ରାତିଅଧରେ ପାହାଡ଼ ଉପରକୁ ଓ ନେଟୱାର୍କ ପଏଣ୍ଟକୁ ଯାଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିବାରୁ ଏବଂ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନ ପାରିବାରୁ ରଞ୍ଜିତା ବାଧ୍ୟ ହୋଇ ଘରେ ହିଁ ଏକ ଶିଶୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସକାଳେ ତାଙ୍କୁ ଏକ ଅଟୋ ଯୋଗେ ମେଡିକାଲ ନିଆଯାଇଥିଲା। ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଥିଲେ ହେଁ, ଆଗକୁ ଯେପରି କାହା ସହ ଏଭଳି ପରିସ୍ଥିତି ନ ଘଟେ ସେଥିପାଇଁ ଗ୍ରାମରେ ଫୋନ ଟାୱାର କାର୍ଯ୍ୟକ୍ଷମ ହେବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଘୁଟିଗୁଡ଼ା ଗ୍ରାମରେ ପ୍ରଥମେ ଟାୱାର କାମ ଆରମ୍ଭ ହୋଇଥିଲା। ମାତ୍ର ଏହା ପରେ ସଦର ପଞ୍ଚାୟତର ଟିକ୍ରାଗୁଡ଼ା ଠାରେ ଆରମ୍ଭ ହୋଇଥିବା ଟାୱାରଟି ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟକ୍ଷମ ହୋଇସାରିଛି । ବ୍ଲକ ସଦର ମହକୁମାରୁ ମାତ୍ର ୭ କିଲୋମିଟର ଦୂରରେ ଥାଇ ମଧ୍ୟ ଘୁଟିଗୁଡ଼ା ପ୍ରତି ଏଭଳି ପାତରଅନ୍ତର କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି ।
ଏହି ବିଳମ୍ବ ପ୍ରତିବାଦରେ ଗ୍ରାମର ବିପି ସିଂହ ମାଝି, ସୁଶାନ୍ତ ନାଏକ, ରାମେଶ୍ୱର ମାଝୀ, ଗଣେଶ୍ୱର ନାଏକ, ରାଜେନ୍ଦ୍ର ମାଝୀ, ଉପେନ୍ଦ୍ର ମାଝୀ, ରାଇସିଂ ମାଝୀ, ଉମାକାନ୍ତ ମାଝୀ, ଡୁମେନ୍ ମାଝୀ ଏବଂ ଚକ୍ରଧର ନାଏକ ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ପ୍ରକୃତ ସୁବିଧା ପହଞ୍ଚାଇବା ପାଇଁ ହେଲେ କେବଳ ଖୁଣ୍ଟ ନୁହେଁ, ବରଂ ତୁରନ୍ତ ଏହି ଟାୱାରକୁ କାର୍ଯ୍ୟକ୍ଷମ କରି ମୋବାଇଲ୍ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲା ପ୍ରଶାସନ ଓ ଜିଓ କମ୍ପାନୀ ନିକଟରେ ଜୋରଦାର ଦାବି କରିଛନ୍ତି ।

error: Content is protected !!