July 22, 2026

Now Odisha

Now Odisha

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ

Spread the love

ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର ୫ମ ଦିନ ସୋମବାର ହେରାପଞ୍ଚମୀରେ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିର ଆସି ନୀତି ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଫେରିଯିବା ପରେ ୬ଷ୍ଠ ଦିବସ ମଙ୍ଗଳବାର ବାହୁଡ଼ାଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ତିନିରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଥିଲା। ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚତ୍ଥିବାବେଳେ ସା ହୋଇଯିବାରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯାଇପାରିନାହିଁ। ତେବେ ବୁଧବାର ଅଧାବାଟରେ ଥିବା ତାଳଧ୍ୱଜ ରଥ ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷକୁ ଦକ୍ଷିଣମୋଡ଼ କରାଯିବ। ମଙ୍ଗଳବାର ମହାପ୍ରଭୁଙ୍କ ସକାଳଧୂପ ବିଳମ୍ବ ହେବା ଯୋଗୁ ରଥକୁ ଆଜ୍ଞାମାଳ ଆସିବା ଡେରି ହୋଇଥିଲା। ତେଣୁ ଦକ୍ଷିଣମୋଡ଼ ପାଇଁ ରଥଟଣାରେ ମଧ୍ୟ ବିଳମ୍ବ ଘଟିଥିଲା।

ପରମ୍ପରା ଅନୁଯାୟୀ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଦିଆଯାଇଥିଲା। ତାଳଧ୍ୱଜ ରଥକୁ ଘଣ୍ଟ, ଓଲାର(ଛତି), କାହାଳୀ, ବୈଜୟନ୍ତୀ ଏବଂ ବିଶ୍ବକର୍ମା ମହାରଣା ଚଢ଼ିଥିଲେ। ରଥ ଦକ୍ଷିଣମୋଡ଼ ପାଇଁ ବିଜେ କାହାଳୀ ବାଜିଥିଲା। ଭୋଇ ସେବକମାନେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବ୍ରେକ୍‌ ଓ ଦଉଡ଼ି ସଂଯୋଗ କରିଥିଲେ। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦରେ ପ୍ରଥମେ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା। ଏହାପରେ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଥିଲା। ସା ହେବ ସହ ବର୍ଷାହେବାରୁ ତାଳଧ୍ୱଜ ଅଧାରାସ୍ତାରେ ଅଟକି ରହିଥିଲା। ତାଳଧ୍ୱଜ ଅଧାରେ ଅଟକି ଥିବାରୁ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯାଇପାରି ନ ଥିଲା। ବୁଧବାର ସକାଳେ ଦୁଇ ରଥର ଦକ୍ଷିଣମୋଡ଼ ପୁନଃ ଆରମ୍ଭ କରାଯିବ।

error: Content is protected !!