July 30, 2026

Now Odisha

Now Odisha

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Spread the love

ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ ରାତିରେ କ୍ରମାଗତ ଭାବେ ତିନୋଟି ଘରେ ଚୋରି ହୋଇଥିବା ନେଇ ହୁମା ଫାଣ୍ଡିରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ହୁମା ଗ୍ରାମର ପାଟଣା ସାହିର ବାସିନ୍ଦା ଯଦୁ ପରିଡ଼ାଙ୍କ ଘରୁ ପ୍ରାୟ ୧୨ ତୁଳା ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଛି। ସେହିପରି ପଡ଼ୋଶୀଙ୍କ ଦୁଇଟି ଘରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ଦୁଇଟି ଘରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ସାମାନ୍ୟ ସାମଗ୍ରୀ ଚୋରି କରିଥିବା ବେଳେ ନବ ପ୍ରଧାନଙ୍କ ଘରୁ ଏକ ଯୋଡ଼ା ସୁନା କାନଫୁଲ ଚୋରି ହୋଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧ଟା ସମୟରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାରିପଟ ଗ୍ରିଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଘର ଲୋକଙ୍କୁ ନିଶାଦ୍ରବ୍ୟ ପ୍ରୟୋଗ କରି ଅଚେତ ଅବସ୍ଥାରେ ରଖିଥିବା ଅଭିଯୋଗ ହୋଇଛି। ପରେ ଆଲମିରାର ତାଲା ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ମୁଦି, ଗୋଟିଏ ସୁନା ବ୍ରେସଲେଟ୍, ୩ଟି ସୁନା ଚେନ୍, ଦୁଇଟି ଶିଶୁଙ୍କ ସୁନା ଖଡ଼ୁ, ଦୁଇଟି ରୂପା ଖଡ଼ୁ ଏବଂ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା କୁହାଯାଇଛି।

ଏନେଇ ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରହିଛି। ଲଗାତାର ସିରିଜ୍ ଚୋରି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

error: Content is protected !!